Unknown

 

 

 

 

 

 

 

 

 

 

ଗଂଗାଧରଙ୍କ ଜୀବନୀ ସାହିତ୍ୟ

ସ୍ୱଭାବକବି ଗଂଗାଧର ମେହେର

 

ସ୍ୱର୍ଗୀୟ କାଶୀନାଥ ପଣ୍ଡା

(୧୯୧୨)

 

ଆଜି ସମ୍ବଲପୁର ଜିଲ୍ଲାର ଗୋଟିଏ ପଲ୍ଲୀଗ୍ରାମ ଲରମ୍ଭାରେ ଜଣେ ସ୍ୱର୍ଗୀୟ ମହାତ୍ମାଙ୍କର ପ୍ରତିକୃତି ଉନ୍ମୋଚନ ଉପଲକ୍ଷରେ ଜିଲ୍ଲାବାସୀ କେତେକ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ସାଧାରଣ ଲୋକଙ୍କୁ ଘେନି ଯେ ଗୋଟିଏ ସଭା ଆହୂତ ହୋଇଅଛି, ଏହା ଜିଲ୍ଲା ପକ୍ଷରେ ଗୋଟିଏ ସମ୍ପୂର୍ଣ୍ଣ ନୂତନ କଥା ବୋଇଲେ ବୋଧହୁଏ ଅତ୍ୟୁକ୍ତି ହେବନାହିଁ । ଏହା ଆଧୁନିକ ସଭ୍ୟତାର ଗୋଟିଏ ଅପରିହାର୍ଯ୍ୟ ଅଙ୍ଗ ଅଟେ । ଏହି ସଭାରେ ସ୍ୱର୍ଗୀୟ ବ୍ୟକ୍ତିଙ୍କର ଜୀବନ-କଥା କଥିତ ହେବା ଆବଶ୍ୟକ ବୋଧକରେଁ । ତାଙ୍କ ଜୀବନରେ କି କି ବିଶେଷତ୍ଵ ଅଛି, ସହୃଦୟ ବ୍ୟକ୍ତିମାନେ ଅବଶ୍ୟ ତାହା ଅନୁଭବ କରିବେ ।

 

ଏହି ପ୍ରାବୃଟ୍-ପ୍ରବାହିଣୀ ଶରଦ୍ ବିଶୋଭିନୀ ପଶ୍ଚିମବାହିନୀ ଅଣିକା ନଦୀକୁ କୋଳରେ ଧରି ତଦ୍‌ବିଶେଷଣବିଶିଷ୍ଟା କିନ୍ତୁ ଦକ୍ଷିଣବାହିନୀ ଝାଉଁ ନଦୀର ମଧ୍ୟସ୍ଥାନାବସ୍ଥିତ ଲରମ୍ଭା ଗ୍ରାମର ଚତୁର୍ଥାଂଶଭାଗୀ ଆରଣ୍ୟକ ବ୍ରାହ୍ମଣକୁଳୋଦ୍ଭବ ବାସୁଦେବ ପଣ୍ଡାଙ୍କର ଏକମାତ୍ର ପୁତ୍ର ସ୍ଵର୍ଗୀୟ କାଶୀନାଥ ପଣ୍ଡାଙ୍କ ଏହା ପ୍ରତିକୃତି ଅଟେ । କାଶୀନାଥ ୧୮ ସାଲର ଶ୍ରାବଣ ଅମାବାସ୍ୟା ଦିନ ଜାତ ହେଲେ । ସେ ଯଥାକାଳରେ ବର୍ଣ୍ଣଶିକ୍ଷା କରି ଓଡ଼ିଆ ଛାନ୍ଦଗ୍ରନ୍ଥ, ସଂସ୍କୃତ ବ୍ୟାକରଣ ଓ ଅମରକୋଷାଦି ଅଧ୍ୟୟନ କରି ଚତୁର୍ଦ୍ଦଶ ବର୍ଷ ବୟସରେ ଟାମ୍ପରସରା ଗ୍ରାମାଧିପତି ବାଞ୍ଛାବଟା ପଣ୍ଡାଙ୍କ ଭଗିନୀଙ୍କର ପାଣିଗ୍ରହଣ କଲେ ଓ ଊନବିଂଶ ବର୍ଷ ବୟସରେ ସସ୍ତ୍ରୀକ ଗୃହୀ ହେଲେ ତହିଁର ଦୁଇ ବର୍ଷ ପରେ ତାଙ୍କ ପିତା ବାସୁଦେବ ପଣ୍ଡା ପରଲୋକ ଗମନ କରିବାରୁ ପରିବାରର ସମସ୍ତ ଭାର କାଶୀନାଥଙ୍କ ଉପରେ ପଡ଼ିଲା । ସେତେବେଳେ ତାଙ୍କର ପୈତୃକ ଭୂମି ୫୦ ଏକର ଓ ଟଙ୍କ। ଏକ ସହସ୍ରରୁ ଅଧକ ପୁଞ୍ଜି ନ ଥିଲା । ଏପରି ଅବସ୍ଥାରେ ଅନେକ ବ୍ୟକ୍ତି ପିତୃ ବିୟୋଗରେ ଆପଣା ଭୋଗବିଳାସର ପଥ ନିଷ୍କଣ୍ଟକ ହେବାର ଜ୍ଞାନ କରିଥାନ୍ତି । କିନ୍ତୁ କାଶୀନାଥଙ୍କ ଜୀବନଯାତ୍ରା ପଥରେ ଗୋଟିଏ ମୂର୍ତ୍ତିମତୀ ଚିନ୍ତା ଉପସ୍ଥିତ ହେଲା । ସେ ତହିଁରେ କାତର ନ ହୋଇ ଧୈର୍ଯ୍ୟର ସାହଚର୍ଯ୍ୟରେ ସେହି ପଥରେ ଅଗ୍ରସର ହେବାକୁ ଲାଗିଲେ । ସେ ଉତ୍ତରାଧିକାର କ୍ରମେ କୃଷି ଓ କୁସୀଦ କାର୍ଯ୍ୟରେ ଅଭ୍ୟସ୍ତ ଥିଲେ ଏବଂ ଦିନ ଦିନ ତହିଁର ଉନ୍ନତି କରିବାକୁ ଲାଗିଲେ । ତାଙ୍କର କୁସୀଦ କାର୍ଯ୍ୟ ଭୂମିଲାଭମୂଳକ ହେଲା । ଭୂମିଲାଭର ଆଶା ନ ଥିଲେ ସେ କାହାରିକୁ ଟଙ୍କା ଋଣ ଦେଉ ନ ଥିଲେ; କିନ୍ତୁ ମନୋମତ ଭୂମିଲାଭର ଆଶା ଦେଖିବା ମାତ୍ରେ ନିଜ ହାତରେ ଟଙ୍କା ନଥିଲେ ଅନ୍ୟଠାରୁ ଋଣ ଗ୍ରହଣ କରି ଋଣ ଦେଇ ସ୍ୱୋପାର୍ଜିତ ଅର୍ଥଦ୍ୱାରା ନିଜର ଅଧମର୍ଣ୍ଣତା ସତ୍ୱର ଦୂର କରୁଥିଲେ । ତାଙ୍କର ଏହି ବ୍ୟାପାରର କ୍ରମୋନ୍ନତି ଅଥଚ ସମୃଦ୍ଧି ବୃଦ୍ଧି ହେବାକୁ ଲାଗିଲା । ତହିଁ ସଙ୍ଗେ ରାଜ୍ୟରେ, ରାଜଦ୍ୱାରରେ ଓ ସମାଜରେ ତାଙ୍କର ପ୍ରତିଷ୍ଠା ପ୍ରଭାନ୍ୱିତ ହୋଇ ଆସିଲା । କାଶୀନାଥ ଜୀବନ ଶେଷରେ ଆପଣାର ଉତ୍ତରାଧିକାରୀମାନଙ୍କୁ ପ୍ରାୟ ୫୦ ବର୍ଗ ମାଇଲ ଭୂମି ଓ ୫୦,୦୦୦ ଟଙ୍କାର ଉତ୍ତମର୍ଣ୍ଣତ୍ଵ ଦେଇଯାଇଅଛନ୍ତି । ଅନ୍ୟାନ୍ୟ ଗୃହ ସମ୍ପତ୍ତି ଏଥିରୁ ଅନୁମେୟ । ପାଠକ, ଥରେ କାଶୀନାଥଙ୍କ ପୈତୃକ ଧନର ସହିତ ସ୍ୱୋପାର୍ଜିତ ଧନର ତୁଳନା କରି ଦେଖନ୍ତୁ ଏବଂ କୃଷି ଓ କୃସୀଦର ଲାଭ ଉପଲବ୍ଧ କରି କାଶୀନାଥଙ୍କ ବିଚକ୍ଷଣତା ବିଚାର କରନ୍ତୁ, ଅପିଚ ଯଦି ଉପଯୁକ୍ତ ମନେକରନ୍ତି ତାଙ୍କୁ ଥରେ ଧନ୍ୟବାଦ ପ୍ରଦାନ କରିବାରେ କୁଣ୍ଠିତ ହେବେ ନାହିଁ । କୃଷି କାର୍ଯ୍ୟରେ କାଶୀନାଥଙ୍କର ଅନୁରାଗ ଓ ପରିଶ୍ରମ ଅସାଧାରଣ । ସେ କୃଷିର ଉନ୍ନତି ନିମନ୍ତେ ବିପୁଳ ବ୍ୟୟ ଓ ନବ ନବ ଯନ୍ତ୍ର ନିର୍ମାଣ କରି ଲୋକମାନଙ୍କୁ ଚମତ୍କୃତ କରୁଥିଲେ । ସମ୍ବଲପୁର କୃଷିପ୍ରଦର୍ଶନୀରେ ସେହି ଯନ୍ତ୍ରମାନ ଉପସ୍ଥାପିତ କରି ନିଜେ ଉପସ୍ଥିତ ଥାଇ, ଦର୍ଶକମାନଙ୍କୁ ନବ ନବ କୃଷିଯନ୍ତ୍ରର ବ୍ୟବହାରବିଧି ଓ ଉପକାରିତା ବୁଝାଇ ଦେଉଥିଲେ, ଆଉ ଉଚ୍ଚ ପୁରସ୍କାର ଲାଭକରି ପ୍ରଦର୍ଶନୀର କର୍ତ୍ତୃପକ୍ଷଙ୍କଦ୍ଵାରା ପ୍ରଶଂସିତ ହେଉଥିଲେ । ସେ ଏ ଜିଲାର କୃଷି ସମିତିର ପ୍ରଧାନ ସଭ୍ୟ ଥିଲେ । ସେହି ସୂତ୍ରରେ ରାୟପୁର କୃଷି ପ୍ରଦର୍ଶନୀକୁ ଓ କଲିକତା କୃଷି-ଶିଳ୍ପ ପ୍ରଦର୍ଶନୀକୁ ପ୍ରେରିତ ହୋଇ କୃଷି ବିଷୟରେ ଉନ୍ନତ ଜ୍ଞାନଲାଭ କରିଥିଲେ । ତାଙ୍କର ସେହି ଉପାର୍ଜିତ ଜ୍ଞାନ ସମିତିରେ ବ୍ୟାଖ୍ୟାତ ହେବାଦ୍ୱାରା ସଫଳତା ସାଧନ କରୁଥିଲା ।

 

ତାଙ୍କର କୃଷିକ୍ଷେତ୍ର ମୁଖ୍ୟତଃ ତାଙ୍କ ଆଧିପତ୍ୟରେ ଥିବା ୧୬ଖଣ୍ଡ ଗ୍ରାମରେ ଅଛି । ଗୌଣ ଭାବରେ ଯେ କେତେ ଗ୍ରାମରେ ଅଛି, ତାହା ଆମ୍ଭମାନଙ୍କର ସଂଖ୍ୟା କରିବାର ବିଷୟ ନୁହେଁ-। କୌଣସି ଭୂମିରେ ତାଙ୍କର ସୁପର୍ଯ୍ୟବେକ୍ଷଣ ଓ ପରିଚାଳନାରେ ଅଭାବ ନାହିଁ । ଯେଉଁ ଯେଉଁ ଭୂମି ପୂର୍ବରେ ଅନୁର୍ବର ଥିଲା, କାଶୀନାଥଙ୍କ ହସ୍ତକୁ ଆସି ସେସବୁ ଶସ୍ୟଶାଳିନୀ ହୋଇଅଛନ୍ତି । ଲୋକେ ଧାନ ବୁଣି ଧାନ ଲାଭ କରୁଥିଲେ; କିନ୍ତୁ କାଶୀନାଥ ଟଙ୍କା ବୁଣି ଟଙ୍କା ଉପାର୍ଜନ କରୁଥିଲେ-। ବିବିଧ ଶସ୍ୟପୂର୍ଣ୍ଣ କ୍ଷେତ୍ର, ମୃଦୁ କଲ୍ଲୋଳମାଳିନୀ ମଧୁନାଦିନୀ କଲ୍ଲୋଳିନୀ, କୁମୁଦକହ୍ଲାରାଦି କୁମୁଦପରିଶୋଭିତ ପୁଷ୍କରିଣୀ, ଫଳପୁଷ୍ପୋପଚିତ ମନୋହର ପାଦପପୂର୍ଣ୍ଣ ବନ, ଉପବନ ବହୁ ପରିମାଣରେ କାଶୀନାଥଙ୍କର ସମ୍ପଦ ବର୍ଦ୍ଧନର ଅନୁକୂଳ ହୋଇଅଛନ୍ତି । ତାଙ୍କର ଅଧ୍ୟବସାୟଶୀଳ ହୃଦୟକ୍ଷେତ୍ର ପାର୍ଶ୍ଵବର୍ତ୍ତୀ ନୈଦାଘକୁସୁମର ସୁରଭି ଦ୍ୱାରା ପ୍ରଚଣ୍ଡ ମାର୍ତ୍ତଣ୍ଡ କିରଣକୁ ଅଳଂକୃତ ଓ ମଧୁର ମଣୁଥିଲା । ପ୍ରାବୃଟକାଳୀନ ଗଭୀର ତିମିରାଚ୍ଛନ୍ନ ରଜନୀରେ ଊର୍ଦ୍ଧସ୍ଖଳିତ ବାରିଧାରା ଓ ନିମ୍ନଦେଶର କର୍ଦ୍ଦମ ତାଙ୍କର କାର୍ଯ୍ୟକ୍ଷେତ୍ରର ପଥକୁ ଦୁର୍ଗମ କରୁ ନ ଥିଲା । ତାଙ୍କ ଅଧୀନରେ କୃଷି ଓ କୃସୀଦ ପରସ୍ପର ସହାନୁଭୂତି ଆଦାନପ୍ରଦାନ କରିବାଦ୍ୱାରା ନିଜ ନିଜର ଶକ୍ତି ବୃଦ୍ଧି କଲେ ।

 

କାଶୀନାଥଙ୍କ ସମସ୍ତ ସମୟ ଯେ କୃଷି ଓ କୁସୀଦରେ ବ୍ୟୟିତ ହେଉଥିଲା ଏପରି ନୁହେଁ, ସେ ଅବକାଶକୁ ବିଶେଷତଃ ରାତ୍ରିର ଅଧିକାଂଶ ସମୟ ଶାସ୍ତ୍ରାଧ୍ୟୟନରେ ସଦ୍‌ବ୍ୟବହାର କରୁଥିଲେ । ତଦ୍ଦ୍ୱାରା ହିନ୍ଦୀ ଓ ବଙ୍ଗଭାଷା ତାଙ୍କ ଜ୍ଞାନରାଜ୍ୟରେ ବିଚରଣ କରିବାକୁ ଲାଗିଲେ, ଆଉ ପାରିବାରିକ ଚିକିତ୍ସାର ପ୍ରୟୋଜନୀୟତା ତାଙ୍କୁ ଆୟୁର୍ବେଦରେ ପ୍ରବେଶ କରାଇଥିଲା । ହିନ୍ଦୀ ‘ତୁଳସୀ ରାମାୟଣ’ ତାଙ୍କର ନିତ୍ୟ ପାଠ୍ୟ ଥିଲା ଏବଂ ତହିଁରେ ତାଙ୍କର ଅନୁରକ୍ତି ଓ ଆସକ୍ତି ଥିଲା ।

 

କଥିତ ହୋଇଅଛି ଯେ କାଶୀନାଥ ଏ ଜିଲ୍ଲାର କୃଷି ସମିତିର ପ୍ରଧାନ ସଭ୍ୟ ଥିଲେ । ଅଧିକନ୍ତୁ ସେ ଲୋକାଲ୍ ବୋର୍ଡ଼ର ମହାଜନୀ ମେମ୍ବର ମଧ୍ୟ ଥିଲେ । ସେ ଯେ ଆଳସ୍ୟକୁ ନିଜର ଜୀବନରାଜ୍ୟରୁ ନିର୍ବାସିତ କରି ପରିଶ୍ରମକୁ ଜୀବନର ଅଳଂକାର କରିଥିଲେ, ତାଙ୍କର ଉନ୍ନତି ଓ କାର୍ଯ୍ୟକଳାପ ତହିଁର ସାକ୍ଷ୍ୟ ପ୍ରଦାନ କରି ତାଙ୍କର ଧୀଶକ୍ତି ଓ ବିଚକ୍ଷଣତାର ପରିଚୟ ଦେଉଅଛନ୍ତି । ତାଙ୍କର ମଧୁମୟୀ ଭାଷା, ଲୋକପ୍ରୀତି ଓ ଉଚ୍ଚାଭିଳାଷ ସର୍ବତ୍ର ସୁବିଦିତ । ସେ ଦୁର୍ଭିକ୍ଷ ସମୟରେ ଅନେକ ଅନ୍ନକ୍ଳିଷ୍ଟ ବ୍ୟକ୍ତିଙ୍କର ପ୍ରାଣ ବଞ୍ଚାଇ ନିଜର ଦୟାର ନିଦର୍ଶନ ପ୍ରଦର୍ଶନ କରିଅଛନ୍ତି । ଲରମ୍ଭାର ବିଦ୍ୟାଳୟଟି ତାଙ୍କର ବିଦ୍ୟାନୁରାଗର ମୂକସାକ୍ଷୀ । ତାଙ୍କ ନିର୍ମିତ କୃପ, ପୁଷ୍କରିଣୀ ଓ ମନ୍ଦିରାଦି ତାଙ୍କର ଧର୍ମଶୀଳତା ଓ କର୍ତ୍ତବ୍ୟନିଷ୍ଠାର ପ୍ରତ୍ୟକ୍ଷ ପ୍ରମାଣ । ତାଙ୍କର ଧର୍ମଶୀଳତା ଅର୍ଥ-ପ୍ରସବିନୀ ଓ କର୍ତ୍ତବ୍ୟନିଷ୍ଠା ହିତସାଧିନୀ ଥିଲେ । ସେ ନିଷ୍ଫଳ ଖ୍ୟାତି, ଅଯଥା ଆଡ଼ମ୍ବର ଓ ଅହଂକାରିକ ସମ୍ମାନରେ ବୀତଶ୍ରଦ୍ଧ ଥିଲେ ।

 

ସେ ନିରଭିମାନୀ ଓ କୃତଜ୍ଞ ଥିବାର ଗୋଟିଏ ପ୍ରଧାନ ଉଦାହରଣ ଦେଖାଯାଏ ଯେ, ସେ ଅନେକଥର କହିଥାନ୍ତି କି ଲରମ୍ଭାନିବାସୀ ଦୀନବନ୍ଧୁ ତ୍ରିପାଠୀ ତାଙ୍କର ବାଲ୍ୟବନ୍ଧୁ ଥିଲେ । ଦୀନବନ୍ଧୁଙ୍କର ଧୀମତ୍ତା ଓ ବିଚକ୍ଷଣତାରେ ତାଙ୍କର ଅନେକ ଉପକାର ହୋଇଅଛି । କାଶୀନାଥଙ୍କ ସହିତ ଦୀନବନ୍ଧୁଙ୍କର ସୌହୃଦ୍ୟ ଆଜୀବନ ଅବିଚ୍ଛିନ୍ନ ଥିଲା ।

 

କାଶୀନାଥଙ୍କ ଧର୍ମବିଶ୍ଵାସ ଅବଶ୍ୟ ପ୍ରଶଂସନୀୟ । ସେ ଧର୍ମଶାସ୍ତ୍ରାଧ୍ୟୟନକୁ ପାରତ୍ରିକ ପ୍ରଧାନ ସମ୍ବଳ ଜ୍ଞାନ କରୁଥିଲେ । କାଶୀନାଥ ବର୍ଷାକାଳର ଶ୍ରାବଣ ଅମାବାସ୍ୟାରେ ଜନ୍ମଗ୍ରହଣ କରି ନିଜର ଜୀବନରେ ସମ୍ପଦର ଶୁକ୍ଳପକ୍ଷ ଓ ସୁଖମୟ ଶୁଭ୍ର ଶରତ୍, ପରିଶ୍ରମଜନିତ କଷ୍ଟରୂପ ହେମନ୍ତ-ଶିଶିର ଭୋଗକରି ଶାନ୍ତିରୂପ ବସନ୍ତକାଳରେ ସମ୍ବତ୍ ୧୯୬୮ ସାଲ ଚୈତ୍ର ପୂର୍ଣ୍ଣିମା ଦିନ ଇହଧାମ ତ୍ୟାଗକଲେ । ସେ ଜଣେ ଆଦର୍ଶ ସଂସାରୀ ଥିଲେ, ଏହା ମୁକ୍ତକଣ୍ଠରେ କହିବାକୁ କେହି କୁଣ୍ଠିତ ହେବେ ନାହିଁ ।

 

କାଶୀନାଥ ନିଜର ସମ୍ପତ୍ତିର ବୀଜବପନ ଫଳୋତ୍ପାଦନ ଓ ଫଳ ସଂଗ୍ରହ କରି ଉତ୍ତରାଧିକାରୀମାନଙ୍କ ସମ୍ପଦର ବସନ୍ତ ସମୟ ଦେଇଯାଇଅଛନ୍ତି । ତାଙ୍କର ଦୁଇପୁତ୍ର, ଶ୍ରୀ ବୃନ୍ଦାବନ ପଣ୍ଡା ଜ୍ୟେଷ୍ଠ ଓ ପୁରୁଷୋତ୍ତମ ପଣ୍ଡା କନିଷ୍ଠ । ସ୍ଵଦେଶାନୁରାଗୀ ଶ୍ରୀମାନ୍ ବ୍ରଜମୋହନ ପଣ୍ଡା ବୃନ୍ଦାବନଙ୍କର ଏକମାତ୍ର ପୁତ୍ର । ପୁରୁଷୋତ୍ତମ ପଣ୍ଡାଙ୍କର ଦୁଇଗୋଟି ପୁତ୍ର ଅଛନ୍ତି । ବୃନ୍ଦାବନ ବାବୁ ଆଜି ଏହି ଅନୁଷ୍ଠାନଦ୍ଵାରା ପିତୃଭକ୍ତିର ସୁପରିଚୟ ଦେଇଅଛନ୍ତି । ତାଙ୍କ ହୃଦୟରେ ପିତୃଭକ୍ତି ବଟବୃକ୍ଷରୂପେ ଅଙ୍କୁରିତ ହୋଇଥିବାର ଅନୁଭୂତ ହେଉଅଛି । ତାହା କ୍ରମଶଃ ବର୍ଦ୍ଧିତ, ବିଶାଳ ଓ ଶାନ୍ତିପ୍ରଦ ରୂପେ ନୟନଗୋଚର ହେବ ବୋଲି ଆଶା ହୁଏ । ସେ ଅଳ୍ପଦିନ ପୂର୍ବେ ସମ୍ବଲପୁର ଇଂରାଜୀ ହାଇସ୍କୁଲରେ ପିତାଙ୍କ ନାମରେ କୃଷି ବିଷୟକ ଉତ୍କୃଷ୍ଟ ପ୍ରବନ୍ଧ ଲେଖକ ଛାତ୍ରକୁ ୧୦ ଟଙ୍କାର ଓଡ଼ିଆ ପୁସ୍ତକ ପୁରସ୍କାର ଦେଇଅଛନ୍ତି । ସେହିପରି କୃଷି ବିଷୟରେ ଓଡ଼ିଶାର ଉତ୍କୃଷ୍ଟ ପ୍ରବନ୍ଧ ଲେଖକଙ୍କୁ ପ୍ରତିବର୍ଷ କାଶୀନାଥ ନାମଧେୟ ଗୋଟିଏ ସ୍ଵର୍ଣ୍ଣପଦକ ପୁରସ୍କାର ଦେବାର ଇଚ୍ଛା ପ୍ରକାଶ କରିଅଛନ୍ତି । ତହିଁର ବିଜ୍ଞାପନ ଶୀଘ୍ର ପ୍ରକାଶିତ ହେବ ।

 

ସମ୍ପ୍ରତି ସମ୍ବଲପୁର ଭାଗ୍ୟ-ଭୂମି ପକ୍ଷରେ ନିଦାଘ ସମୟ । ବର୍ଷା ଆଗତପ୍ରାୟ, ଏ ସମୟରେ ବୀଜବପନ ଏକାନ୍ତ ଆବଶ୍ୟକ । ଆଶା ଅଛି ମାତୃଭୂମିର ଭାଗ୍ୟ ପରିବର୍ତ୍ତନ ପକ୍ଷରେ ବୃନ୍ଦାବନ ବାବୁଙ୍କର ଉପଯୁକ୍ତ ଆନୁକୂଲ୍ୟ ପ୍ରଦର୍ଶିତ ହେବ; ଯଦ୍ଦ୍ୱାରା ତାଙ୍କର ପିତାଙ୍କ ନାମ ଉତ୍କଳରେ ଅମର ରୂପେ ରହିବ । ଇତିହାସ କ୍ରୋଡ଼ରେ ‘କାଶୀନାଥ’ ନାମ ସ୍ଵର୍ଣ୍ଣାକ୍ଷରରେ ରହିବ ।

***

 

ପୁରାଣକବି ଫକୀରମୋହନ

(ଜୁଲାଇ ୧୯୧୮, ଉତ୍କଳ ସାହିତ୍ୟ)

 

ଉତ୍କଳର ଜାତୀୟ-ଜୀବନ-ସଂଗ୍ରାମର ସେନାପତି ମହାତ୍ମା ଫକୀରମୋହନ ନିଜ ଜୀବନର : ଶେଷମୁହୂର୍ତ୍ତ ପର୍ଯ୍ୟନ୍ତ ଅବିଶ୍ରାନ୍ତ କର୍ତ୍ତବ୍ୟପାଳନରେ ପ୍ରବୃତ୍ତ ଥାଇ ଶରୀରପାତ କରି ସ୍ୱର୍ଗାରୋହଣ କରିଅଛନ୍ତି । ତାହାଙ୍କ ଶରୀରପରି ଉତ୍କଳର ବିବୁଧବୃନ୍ଦଙ୍କର ଶୋକାଶ୍ରୁଛଳରେ ପୁଷ୍ପବୃଷ୍ଟି ହେଉଅଛି । ତେଣୁ ସ୍ୱର୍ଗରୁ ଦେବ ଦେହଧାରୀ ରାଧାନାଥ ଓ ମଧୁସୂଦନ ଅର୍ଦ୍ଧପଥକୁ ଆସି ତାହାଙ୍କ ହସ୍ତଦ୍ୱୟ ଧରି, ସାଦର ଅଭ୍ୟର୍ଥନା କରି, ଦୀପ୍ତିମୟ ବିମାନରେ ବସାଇ ଜ୍ୟୋତିରାଜ୍ୟକୁ ଘେନି ଯାଇଅଛନ୍ତି । ମନୁଷ୍ୟ ଜୀବନରେ ଯାହା ବାଞ୍ଛନୀୟ, ଶ୍ରଦ୍ଧେୟ, ପ୍ରାର୍ଥନୀୟ ଓ ଦୁର୍ଲ୍ଲଭ, ଫକୀରମୋହନ ତାହା ଲାଭ କରିଅଛନ୍ତି । ତଥାପି ସେ ଉତ୍କଳରେ ଆଜି ନାହାନ୍ତି, ଏ କଥା କହିବାକୁ ମନ ବଳୁନାହିଁ, ଲେଖନୀ ଚଳୁନାହିଁ । ଆଶା ବୋଲୁଅଛି, ସେ ଅଛନ୍ତି; ନୈରାଶ୍ୟ କହୁଅଛି–ନାହାନ୍ତି ।

 

ଆଶା – କାହିଁକି ନାହାନ୍ତି ? ସେ ତନୁତ୍ୟାଗ କରିଥିବାର କି ତୁମ୍ଭେ ଦେଖିଅଛ ?

 

ନୈରାଶ୍ୟ – ଯେପରି ଶୁଣୁଅଛୁଁ ସେ ନାହାନ୍ତି, ତାଙ୍କୁ ଆଉ ତାଙ୍କ ଗୃହରେ ଦେଖିପାରିବୁ ନାହିଁ ।

 

ଆଶା – ଯେଉଁ ବନ୍ଧୁଙ୍କ ଗୃହକୁ ଯାଉଁ ସେ ନିଜ ଗୃହରେ ନ ଥିଲା ମାତ୍ରକେ ସେ ଆଉ ନାହାନ୍ତି ବୋଲାଯିବ ?

ନୈରାଶ୍ୟ – ତୁମେ ପତ୍ର ଲେଖିଲେ ସେ ଉତ୍ତର ଦେବେ ନାହିଁ ।

 

ଆଶା – ଯେଉଁମାନେ ପତ୍ରର ଉତ୍ତର ଦିଅନ୍ତି ନାହିଁ, ସେମାନେ ତେବେ ମୃତ ?

 

ନୈରାଶ୍ୟ – ସେ ଆଉ ଉତ୍କଳର ଉପକାରାର୍ଥ କୌଣସି କାର୍ଯ୍ୟ କରିପାରିବେ ନାହିଁ ।

 

ଆଶା – ଅନେକ ଲୋକ ତ ଦେଶର ଉପକାର କରିପାରନ୍ତି ନାହିଁ, ଅଥଚ ଜୀବିତ ଥାଆନ୍ତି ।

 

ନୈରାଶ୍ୟ – ଜୀବନ ଥାଉଁ ଯଦି ଜୀବନର କାର୍ଯ୍ୟ କିଛି ନ କରନ୍ତି, ସେମାନଙ୍କ ଜୀବନ ଥିଲେ ସୁଦ୍ଧା ନ ଥିଲା ପରି । କର୍ତ୍ତବ୍ୟ ଜ୍ଞାନବିହୀନ ଲୋକ ଓ ମୃତ ଲୋକର କୌଣସି ପ୍ରଭେଦ ନାହିଁ-

 

ଆଶା – ଯେଉଁ ଲୋକ ଜୀବିତ ଥାଇ ଦେଶର କିଛି ଉପକାର କଲା ନାହିଁ, ତାକୁ ଜୀବିତ ନ କହ; କିନ୍ତୁ ଯେଉଁ ଲୋକ କରି ସୁଦ୍ଧା ଜାତିର ଉପକାର କରୁଅଛନ୍ତି, ସେ ଜୀବିତ ନୁହନ୍ତି କି ?

 

ନୈରାଶ୍ୟ – ଫକୀରମୋହନ ଆଉ ଦେଶର କି ଉପକାର କରିବେ ?

 

ଆଶା – ତୁମ୍ଭେ ଉପକାର ଲୋଡ଼ିଲେ ସିନା ପାଇବ; ନ ଖାଇଲେ ତ କେହି ଗିଳାଇ ଦେଇପାରନ୍ତି ନାହିଁ ।

 

ନୈରାଶ୍ୟ – ଆଚ୍ଛା, ଆମେ ଉପକାର ଲୋଡୁଅଛୁଁ ।

 

ଆଶା – ଫକୀରମୋହନଙ୍କ ଜୀବନ ତାଙ୍କର ପୁସ୍ତକ ସମୁଦାୟରେ ବିକୀର୍ଣ୍ଣ ହୋଇ ରହିଅଛି । ସେ ତାଙ୍କ ଜୀବନକୁ ଘୋରି ଘୋରି ଶେଷ କରିଦେଇଅଛନ୍ତି । ସେ ଆମ୍ଭମାନଙ୍କୁ ଛାଡ଼ିଯିବାର ଲୋକ ନୁହନ୍ତି, କିମ୍ବା ଛାଡ଼ିଯାଇ ନାହାନ୍ତି । ସେ ଏଥିପୂର୍ବେ ରୋଗର ଅଧୀନ ଥିଲେ, ସମ୍ପ୍ରତି ଅନାମୟ । ତୁମ୍ଭେ ନିଜର ଉପକାର ନିମନ୍ତେ ଯାହା ପଚାରିବାକୁ ଇଚ୍ଛା କର, ସେହି ପୁସ୍ତକମାନେ କହିବେ – ତୁମ୍ଭ ପ୍ରଶ୍ନରୁ ଅଧିକ ଉପକାରଜନକ କଥାମାନ କହିବେ । ତୁମେ କାହିଁକି, ତୁମ୍ଭ ଦେଶର ସମସ୍ତେ ସେହିପରି କରି ଉପକୃତ ହୋଇପାରିବେ । କେହି ଲୋକ ତାଙ୍କ ସମସ୍ତ ପୁସ୍ତକର ଭାବ ନିଜ ଜୀବନରେ ପୂର୍ଣ୍ଣ କରିପାରିଲେ ସେହି ବ୍ୟକ୍ତିର ଜୀବନରେ ଫକୀରମୋହନଙ୍କ ଶକ୍ତିର ଆବିର୍ଭାବ ହେବ ।

 

ନୈରାଶ୍ୟ – ତେବେ ଆଉ ଶୋକ-ଦୁଃଖ କାହିଁକି ?

 

ଆଶା – ଯାହା ଜୀବନରେ ସେହି ଶକ୍ତିର ଆବିର୍ଭାବ ହୋଇପାରିବ, ଏପରି ଜଣେ ଲୋକ ଉତ୍କଳରେ ନାହାନ୍ତି । ତହିଁ ନିମନ୍ତେ ସିନା ଶୋକ ଓ ଦୁଃଖ ।

 

ନୈରାଶ୍ୟ – ସେପରି ଲୋକ କି କୌଣସିକାଳେ ସମ୍ଭବ ହୋଇପାରନ୍ତି ?

 

ଆଶା – ପୂର୍ବରେ ଥିଲେ । ଦେଖ, ବ୍ୟାସଦେବ ଭାରତଯୁଦ୍ଧ ସମୟର ଲୋକ । ସେ ମହାଭାରତକୁ ଅତି ସଂକ୍ଷେପରେ ଲେଖିଥିଲେ । ପରେ ଅନ୍ୟାନ୍ୟ ଲୋକଙ୍କ ଜୀବନରେ ତାଙ୍କ ଶକ୍ତି ଆବିର୍ଭୂତ ହୋଇ ସେହି ମହାଭାରତକୁ ଏଡ଼େ ପ୍ରକାଣ୍ଡ କରିଅଛି । ସେହିପରି ଉତ୍ତରୋତ୍ତର ଆବିର୍ଭୂତ ହେବାଦ୍ୱାରା ଅଷ୍ଟାଦଶ ପୁରାଣ ଓ ଅନ୍ୟାନ୍ୟ ଅନେକ ଗ୍ରନ୍ଥ ଲିଖିତ ହୋଇଅଛି ।

 

ନୈରାଶ୍ୟ – ଜଣେ ବ୍ୟାସଦେବ କ’ଣ ସେ ସମସ୍ତ ଲେଖି ନାହାନ୍ତି ?

 

ଆଶା – ନା, ପୁରାଣମାନଙ୍କ ରଚନା ସମୟ ଯାହା ମହା ମହା ପଣ୍ଡିତମାନେ ନିରୂପଣ କରିଅଛନ୍ତି, ତାହା ଦେଖ ।

 

ଲିଙ୍ଗ ପୁରାଣ – ୮ମ ଓ ୯ମ ଶତାବ୍ଦୀରେ,

ମାର୍କଣ୍ଡେୟ ପୁରାଣ – ୯ମ ଓ ୧୦ମ ଶତାବ୍ଦୀରେ,

ବିଷ୍ଣୁ ପୁରାଣ – ୧୦ମ ଶତାବ୍ଦୀରେ,

ବରାହ ପୁରାଣ – ୧୨ଶ ଶତାବ୍ଦୀରେ,

ଭାଗବତ ପୁରାଣ – ୧୩ଶ ଶତାବ୍ଦୀରେ,

 

ପଦ୍ମ ପୁରାଣ – ୧୩ଶ ଓ ୧୬ଶ ଶତାବ୍ଦୀ ମଧ୍ୟରେ । ଅନ୍ୟାନ୍ୟ ପୁରାଣସବୁ ଏ ମଧ୍ୟରେ ।

 

ଖ୍ରୀଷ୍ଟ ଜନ୍ମର ପ୍ରାୟ ଦୁଇ ସହସ୍ର ବର୍ଷ ପୂର୍ବେ ବ୍ୟାସ ଥିଲେ । ସେ ଯେ ଦୁଇ ହଜାର ଷୋଳ ଶତବର୍ଷ ପର୍ଯ୍ୟନ୍ତ ଅର୍ଥାତ୍ ଯେତେବେଳେ ମୁସଲମାନ ରାଜତ୍ଵର ପ୍ରବଳ ପ୍ରତାପରେ ଭାରତ-ବର୍ଷ ସନ୍ତପ୍ତ, ସେପର୍ଯ୍ୟନ୍ତ ଜଣେ ବ୍ୟାସ ବସି ପୁରାଣମାନ ଲେଖିଥିଲେ, ତାହା କି ସମ୍ଭବ ?

 

ନୈରାଶ୍ୟ – ଅଶ୍ଵତ୍‌ଥାମା ବଳିର୍ବ୍ୟାସୋହନୁମନ୍ତଶ୍ଚ ବିଭୀଷଣଃ, କୃପଃ ପରଶୁରାମସପ୍ତୈତେ ଚିରଜୀବୀନଃ । ବ୍ୟାସ ତ ଚିରଜୀବୀ, ସେ ଅଦ୍ୟାପି ଅଛନ୍ତି ।

 

ଆଶା – କେହି କେବେ ଦେଖିଅଛନ୍ତି କି ?

 

ନୈରାଶ୍ୟ – ସେ ତ ଛାୟାରୂପିଣୀ, ଦେଖାଦେବେ କିପରି ?

 

ଆଶା – ଫକୀରମୋହନ ଛାୟାରୂପୀ ନ ହେବେ କାହିଁକି ? ତାଙ୍କର ପୁସ୍ତକସବୁ ତ ତାଙ୍କ ଜୀବନର ପ୍ରତ୍ୟକ୍ଷ ଛାୟା ।

 

ନୈରାଶ୍ୟ – ଏପରି ବୁଝିଲେ ଅବଶ୍ୟ ଫଳଲାଭ ଅଛି । ହା ଫକୀରମୋହନ ! ତୁମ୍ଭର ଜ୍ଞାନଜ୍ୟୋତିପୂର୍ଣ୍ଣ ପ୍ରଶାନ୍ତ ମୂର୍ତ୍ତି ଅବଲୋକନ କରି ମନପ୍ରାଣ ସ୍ନିଗ୍‌ଧ ଓ ପବିତ୍ର ହେଉଥିଲା, ତୁମ୍ଭର ସୁଧାମୟ ମଧୁରାଳାପ ଶୁଣି ପ୍ରାଣ ପୂର୍ଣ୍ଣ ହେଉଥିଲା । ତୁମ୍ଭେ ମହର୍ଷିରୂପେ ଉତ୍କଳରେ ପ୍ରତିଷ୍ଠିତ ଥାଇ ଜାତିର ମାନମହତ୍ତ୍ୱ ବୃଦ୍ଧି କରୁଥିଲ । ଆଜି ତୁମ୍ଭଙ୍କୁ ହରାଇ ଆଶା ଓ ନୈରାଶ୍ୟର ଅନିଷ୍ପାଦନୀୟ ବିବାଦରେ ହୃଦୟ କମ୍ପିତ ହେଉଅଛି । କି ମହତ୍ କ୍ଷତି ହୋଇଅଛି ତାହା କଳନା କରିବାକୁ ସୁଦ୍ଧା ଅସମର୍ଥ ହୋଇ ପ୍ରାଣ ଅବସନ୍ନ ହୋଇ ପଡ଼ୁଅଛି । ଆମ୍ଭର ଜୀବନ ଅତି ସଂକୀର୍ଣ୍ଣ । ତହିଁରେ ଆପଣଙ୍କର ପ୍ରଶସ୍ତଜୀବନର ଛାୟା ରଖିବାକୁ ସ୍ଥାନ ନାହିଁ । ତୁମ୍ଭେ ନାହଁ, ଏ କଥା ପ୍ରାଣ ସହିପାରିବ ନାହିଁ । ତୁମ୍ଭେ ଯେପରି ନିଜ ଗୃହକୁ ଋଷିର ପବିତ୍ର ଆଶ୍ରମରୂପେ ପରିଗଣିତ କରିଥିଲ, ବୃଦ୍ଧ ହୋଇ ଯୁବକ-ଦୁର୍ଲ୍ଲଭ ଠାଣିରେ କର୍ମକ୍ଷେତ୍ରରେ ବିଚରଣ କରୁଥିଲ, ବକ୍ତୃତା ମଞ୍ଚରେ ଠିଆ ହୋଇ ଜଳଦ୍‌ଗମ୍ଭୀର ବାକ୍ୟରେ ସମସ୍ତଙ୍କୁ ଚମତ୍କୃତ କରୁଥିଲ, ରାଜା ନ ହୋଇ ରାଜଦୁର୍ଲ୍ଲଭ ଠାଣି, ଶକ୍ତି ଓ ବିଚକ୍ଷଣତାରେ ଉତ୍କଳ ସମ୍ମିଳନୀର ସଭାପତି ଆସନ ଅଳଙ୍କୃତ କରିଥିଲ, ତୁମ୍ଭର ସେହି ସମୟର ହୃଦୟୋଲ୍ଲାସିନୀ ମୂର୍ତ୍ତିକୁ ହୃଦୟାସନରେ ସ୍ଥାପନ କରି ନିତି ନିତି ଦେଖି ଦେଖି ତୁମ୍ଭର ଆଶୀର୍ବାଦ ପ୍ରାର୍ଥନା ଓ ଶକ୍ତି ଭିକ୍ଷା କରୁଅଛୁଁ ।

***

 

ଶ୍ରୀ ନୃପରାଜ ସିଂହ

(୧୯୦୪-୧୯୦୫) (ପୁସ୍ତକାକାରରେ ପ୍ରକାଶିତ)

(ଉତ୍ସର୍ଗ)

 

ପିତୃଭକ୍ତ ଗୁଣଗ୍ରାହୀ ବରପାଲି ଯୁବରାଜ ଶ୍ରୀଯୁକ୍ତ ଲାଲ ବୀର ମହେନ୍ଦ୍ର ସିଂହ ଦେବ ମହୋଦୟଙ୍କର ଗୌରବାନ୍ୱିତ ନାମରେ ଲେଖକ ଶ୍ରଦ୍ଧା ଓ ଭକ୍ତିର ସହିତ ଏହି ପୁସ୍ତକ ଉତ୍ସର୍ଗ କଲେ-

***

 

ଭୂମିକା

 

ବରପାଲି ଅଧୀଶ୍ୱର ରାୟ ବାହାଦୁର ଶ୍ରୀଯୁକ୍ତ ଲାଲ ନୃପରାଜ ସିଂହଦେବଙ୍କର ଜୀବନଚରିତ ଲେଖିବା ନିମନ୍ତେ ଶ୍ରୀଯୁକ୍ତ ବାବୁ ନୀଳମଣି ବିଦ୍ୟାରତ୍ନ ମହାଶୟ ମୋତେ ଅନୁରୋଧ କରିଥିଲେ । ମୁଁ ରାୟ ବାହାଦୁର ମହୋଦୟଙ୍କର ଜଣେ ପ୍ରଜା; ପୁଣି ସେ ମୋର ଶିକ୍ଷୋନ୍ନତିର ମୂଳକାରଣ । ତହିଁ ଉପରେ ତାଙ୍କର ଅପରିଶୋଧନୀୟ ସ୍ନେହରେ ମୁଁ ଚିରଋଣୀ । ପରମହିତୈଷୀ ବିଦ୍ୟାରତ୍ନଙ୍କର ଅନୁରୋଧ ରକ୍ଷା ଓ ରାୟ ବାହାଦୁରଙ୍କଠାରେ କୃତଜ୍ଞତା ପ୍ରକାଶ, ଏହି ଉଭୟ କାର୍ଯ୍ୟ ସାଧନ ନିମନ୍ତେ ଏହି କ୍ଷୁଦ୍ର ପୁସ୍ତକ ଲେଖିଲି ।

 

ପୁନଶ୍ଚ କୃତଜ୍ଞତା ସହିତ ସ୍ୱୀକାର କରୁଅଛି ଯେ ବିଦ୍ୟାରତ୍ନ ମହାଶୟ ମନୋଯୋଗପୂର୍ବକ ଏହି ପୁସ୍ତକର ପାଣ୍ଡୁଲିପି ଦେଖି ସ୍ଥାନେ ସ୍ଥାନେ ସଂଶୋଧନ କରିଦେଇଅଛନ୍ତି ଏବଂ ପୁସ୍ତକ ଶେଷରେ ଥିବା ବନ୍ଧନୀ ଅନ୍ତର୍ଗତ କେତେକ ପଂକ୍ତି ନିଜେ ସମ୍ପୂର୍ଣ୍ଣରୂପେ ଲେଖି ଦେଇଅଛନ୍ତି ।

 

ତା ୨୪.୩.୧୯୦୫

।।ଇତି।।

ବରପାଲି, ବଶମ୍ବଦ

ଶ୍ରୀ ଗଙ୍ଗାଧର ମେହେର

***

 

ପ୍ରଥମ ପରିଚ୍ଛେଦ : ପୂର୍ବାଭାସ

 

ରାୟ ବାହାଦୁର ଲାଲ ନୃପରାଜ ସିଂହ ଦେବ ସମ୍ବଲପୁର ଜିଲ୍ଲା ବରପାଲିର ଅଧୀଶ୍ୱର । ସେ ୧୮୫୨ ଖ୍ରୀଷ୍ଟାବ୍ଦରେ ବରପାଲିର ଚୌହାଣ ରାଜଗୃହରେ ଜନ୍ମଗ୍ରହଣ କରିଅଛନ୍ତି । ତାହାଙ୍କର ଜନ୍ମ ସମୟକୁ ତାହାଙ୍କର ପିତାମହ ବରପାଲିର ରାଜକାର୍ଯ୍ୟ ସମ୍ପାଦନ କରୁଥିଲେ ଏବଂ ପିତା ଗଜେନ୍ଦ୍ର ସିଂହ ଯୌବରାଜ୍ୟର କର୍ତ୍ତୃତ୍ୱ କରୁଥିଲେ । ଗଜେନ୍ଦ୍ର ସିଂହଙ୍କର ଚାରି ପୁତ୍ରରୁ ରାଜେନ୍ଦ୍ର ସିଂହ ଜ୍ୟେଷ୍ଠ ଓ ନୃପରାଜ ସିଂହ ସର୍ବକନିଷ୍ଠ । ମଧ୍ୟମ ପୁତ୍ରଦ୍ୱୟ ଅଳ୍ପ ବୟସରେ ପରଲୋକଗାମୀ ହେଲେ-। ସନ୍ତାନମାନଙ୍କ ମଧ୍ୟରୁ ଏକ-ଦୁଇଜଣର ବିୟୋଗ ଘଟିଲେ ଅବଶିଷ୍ଟ ସନ୍ତାନମାନଙ୍କ ପ୍ରତି ପିତାମାତାଙ୍କର ସ୍ନେହ କେମନ୍ତ ଗାଢ଼ତର ହୋଇଥାଏ, ତାହା ସମସ୍ତେ ବିଦିତ ଅଛନ୍ତି । ରାଜେନ୍ଦ୍ର ସିଂହ ଓ ନୃପରାଜ ସିଂହ ପିତାମାତାଙ୍କର ସେହି ସ୍ନେହର ଅଧିକାରୀ ହୋଇ ବାଲ୍ୟଜୀବନ ଅତିବାହିତ କରିବାକୁ ଲାଗିଲେ । ସେ ସମୟରେ ସମ୍ବଲପୁର ଜିଲ୍ଲାରେ ବିଦ୍ୟାଶିକ୍ଷାର ସୁବ୍ୟବସ୍ଥା ନଥିଲା; ‘ଅବଧାନ’ ମାନଙ୍କ ନିକଟରେ ଶିକ୍ଷାର ସମାପ୍ତି କରିବାକୁ ହେଉଥିଲା । ସୁକୁମାର ରାଜକୁମାର ଦ୍ୱୟ ଶିକ୍ଷା ନିମନ୍ତେ ଅବଧାନ ନିକଟରେ ଅର୍ପିତ ହୋଇ କେଶବକୋଇଲି, କମଳଲୋଚନ, ଗୋପୀଭାଷା, ରାସପଞ୍ଚାଧ୍ୟାୟ ଓ ନାମରତ୍ନଗୀତାଦି ପାଠ କରି କିଛି କିଛି ଗଣିତ ଶିକ୍ଷା କଲେ । ସେ ସମୟରେ ରାଜକୁମାରମାନଙ୍କୁ କିଛି କିଛି ଉର୍ଦ୍ଦୂଶିକ୍ଷା ଦେବାର ଆବଶ୍ୟକ ହେଉଥିଲା । କିନ୍ତୁ ସେହି ଶିକ୍ଷା ବର୍ଣ୍ଣମାଳା ସୀମା ଅତିକ୍ରମ କରିବା କ୍ଵଚିତ୍ ଦେଖାଯାଉଥାଏ । ରାଜେନ୍ଦ୍ର ସିଂହ ସେହିପରି କିଛି କିଛି ଉର୍ଦ୍ଦୂ ମଧ୍ୟ ଶିକ୍ଷା କଲେ ।

 

୧୮୫୯ ଖ୍ରୀଷ୍ଟାବ୍ଦରେ ବରପାଲିରେ ଭୟଙ୍କର ବିସୂଚିକା ଉପଗତ ହୋଇ ୭/୮ ଶତ ଲୋକଙ୍କୁ ଯମାଳୟକୁ ଘେନିଗଲା । ରାଜେନ୍ଦ୍ର ସିଂହ ସେହି ସମୟରେ ତନୁତ୍ୟାଗ କଲେ । ସେ ଅତି ରୂପବାନ୍ ପୁରୁଷ ଥିଲେ । ଭବାନୀ ସିଂହ ସେହି ନିସର୍ଗ ସୁନ୍ଦର ପୁତ୍ରର ବିରହରେ ଅଧୀର ଓ ଭଗ୍ନହୃଦୟ ହୋଇ ସଂସାର କାର୍ଯ୍ୟରେ ଉଦାସୀନ ହୋଇ ରହିଲେ । ତାଙ୍କ ଚକ୍ଷୁରେ ସଂସାର ଶୂନ୍ୟବତ୍ ପ୍ରତୀୟମାନ ହେଲା । ସେ ଜୀବିତ ରହିବା ଅପେକ୍ଷା ମୃତ୍ୟୁକୁ ଶ୍ରେୟଃ ଜ୍ଞାନ କଲେ । ଫଳତଃ ବିଧାତା ତାଙ୍କ ଇଚ୍ଛାର ପରିପୋଷକ ହୋଇ ପୁତ୍ର ମୃତ୍ୟୁର ଦୁଇମାସ ପରେ ତାହାଙ୍କୁ ଚିରଶାନ୍ତଧାମକୁ ଘେନିଗଲେ ।

 

ସମ୍ବଲପୁରର ମହାରାଜା ବଳିଆର ସିଂହ ୧୫୮୨ ଖ୍ରୀଷ୍ଟାବ୍ଦରେ ତାହାଙ୍କର କନିଷ୍ଠ ପୁତ୍ର ବିକ୍ରମ ସିଂହଙ୍କୁ ବରପାଲି ଇଲାକା ଭରଣପୋଷଣ ନିମନ୍ତେ ଦେଇଥିଲେ । ସେ ସମୟରେ ରାଜ୍ୟ କ୍ଷୁଦ୍ର, ଅରଣ୍ୟମୟ ଓ ଅଳ୍ପ ଆୟ ବିଶିଷ୍ଟ ଥିଲା । ବିକ୍ରମ ସିଂହ ଓ ତଦୀୟ ପୁତ୍ର ହୃଦୟ ସିଂହ, ପୌତ୍ର ଲକ୍ଷ୍ମୀଧର ସିଂହ, ପ୍ରପୌତ୍ର ପୀତାମ୍ବର ସିଂହ ପରମ୍ପରାକ୍ରମେ ଆପଣା ଆପଣା ରାଜତ୍ୱକାଳରେ ଇଲାକାର ସୀମା ବୃଦ୍ଧି ଓ ଅରଣ୍ୟ ଆବାଦ କରି ପ୍ରଭୁତ୍ୱ ବିସ୍ତାର କରିଥିଲେ । ପୀତାମ୍ବର ସିଂହଙ୍କ ପରେ ତାଙ୍କ ପୁତ୍ର ଭବାନୀ ସିଂହ ବହୁପରିମାଣରେ ବରପାଲିର ଶ୍ରୀବୃଦ୍ଧି ସାଧନ କରିବାକୁ ସକ୍ଷମ ହୋଇଥିଲେ । ସେ ବରପାଲିର ଜମିଦାର ଥିଲେ ସତ୍ୟ; କିନ୍ତୁ ଜିଲ୍ଲାର ସର୍ବ ସ୍ଥାନରେ ରାଜମାନ୍ୟ ଲାଭ କରୁଥିଲେ । ସମ୍ବଲପୁରର ରାଜଭ୍ରାତାମାନେ ବୃତ୍ତିସ୍ୱରୂପ ଯେଉଁ ସବୁ ସ୍ଥାନ ପାଇଅଛନ୍ତି, ତହିଁ ମଧ୍ୟରେ ଆୟ ଏବଂ ଆୟତନରେ ସୋନପୁର ପ୍ରଥମ ଏବଂ ବରପାଲି ଦ୍ୱିତୀୟ । ଅନ୍ୟ ସ୍ଥାନସବୁ କ୍ଷୁଦ୍ରତର ଅଟେ ।

 

ବରପାଲିର ଆଦ୍ୟ ଅଧିପତି ବିକ୍ରମ ସିଂହଙ୍କର ତୃତୀୟ ପୁତ୍ରଙ୍କ ନାମ ପ୍ରତାପ ସିଂହ । ପ୍ରତାପ ସିଂହଙ୍କର ନାରାୟଣ ସିଂହ ନାମକ ପୌତ୍ର ସମ୍ବଲପୁରର ଅଧିପତି ମହାରାଜ ସାଏଙ୍କର ପରଲୋକ ଗମନ ଉତ୍ତାରେ ୧୮୩୪ ଖ୍ରୀଷ୍ଟାବ୍ଦରେ ସମ୍ବଲପୁର ରାଜସିଂହାସନରେ ଅଧିରୂଢ଼ ହେଲେ । ଏହା ବରପାଲି ରାଜବଂଶର ଗୌରବକୁ ଉଦ୍ଦୀପିତ କରିବାକୁ ଲାଗିଲା; ସୁତରାଂ ତତ୍କାଳୀନ ବରପାଲି ଅଧିପତି ଭାବନୀ ସିଂହଙ୍କର ପ୍ରତାପ ପ୍ରଦୀପ୍ତ ହୋଇଉଠିଲା । ମହାରାଜା ନାରାୟଣ ସିଂହ ୧୮୪୯ ଖ୍ରୀଷ୍ଟାବ୍ଦରେ ଲୋକାନ୍ତର ଗମନ କଲାରୁ ରାଜ୍ୟ ଇଂରେଜ ଗଭର୍ଣ୍ଣମେଣ୍ଟଙ୍କ ଅଧିକୃତ ହେଲା । ସେ ସମୟରେ ସୁନ୍ଦର ସାଏ, ଉଜ୍ଜ୍ୱଳ ସାଏ ପ୍ରଭୃତି ରାଜବଂଶୀୟମାନେ ରାଜ୍ୟ ଲୋଭରେ ବିଦ୍ରୋହାଚରଣ ଆରମ୍ଭ କରିବାକୁ ଲାଗିଲେ । କେତେକ ଗଣ୍ଡ ଜମିଦାର ସ୍ୱଜାତୀୟ ବହୁ ବ୍ୟକ୍ତିଙ୍କ ସହିତ ବିଦ୍ରୋହୀ-ଦଳଭୁକ୍ତ ହୋଇ ରାଜ୍ୟରେ ଅତ୍ୟନ୍ତ ଉପଦ୍ରବ ଆରମ୍ଭ କଲେ; କିନ୍ତୁ ଭୟ ଓ ଭକ୍ତିରେ ବରପାଲିର ସୀମା ସ୍ପର୍ଶ କରୁ ନ ଥିଲେ । ସେହି ହେତୁରୁ ବର୍ତ୍ତମାନ ଖାଲସାର ଅନେକ ଜମିଦାର ଓ ଗ୍ରାମାଧିପ ଭବାନୀ ସିଂହଙ୍କର ଆଶ୍ରୟ ନେଇ ଧନଜୀବନ ରକ୍ଷା କଲେ ।

 

ନାରାୟଣ ସିଂହ ତାହାଙ୍କର ଅନ୍ତିମ ସମୟରେ ଭବାନୀ ସିଂହଙ୍କୁ ଉପଯୁକ୍ତ ଦାୟାଦ ମଣି ଆହ୍ୱାନ କରିଥିଲେ । କିନ୍ତୁ ଭବାନୀ ସିଂହ ରାଜ୍ୟର ଅବସ୍ଥା ବିବେଚନାକରି ତତ୍‌ବିଷୟରେ ଔଦାସୀନ୍ୟ ପ୍ରଦର୍ଶନ କରି ବିଦ୍ରୋହ ଶାନ୍ତି ନିମନ୍ତେ ଇଂରେଜ ଗଭର୍ଣ୍ଣମେଣ୍ଟଙ୍କର ସହକାରୀସ୍ୱରୂପ କାର୍ଯ୍ୟ କଲେ । ତହିଁର ଫଳସ୍ୱରୂପ କେତେକ ବିଦ୍ରୋହୀ ଗଣ୍ଡଙ୍କୁ ଧୃତକରି ଇଂରେଜ ସରକାରରେ ଅର୍ପଣ କରି ତଦାନୀନ୍ତନ କମିଶନର ଉଇଲିୟମ୍ ରବର୍ଟ ଫରଷ୍ଟର ସାହେବଙ୍କଠାରୁ ଧନ୍ୟବାଦପତ୍ର ପାଇଲେ ।

 

ଭବାନୀ ସିଂହଙ୍କ ଉତ୍ତାରୁ ରାଜେନ୍ଦ୍ର ସିଂହ ୧୮୫୯ ଖ୍ରୀଷ୍ଟାବ୍ଦରେ ସେପ୍‌ଟେମ୍ବର ମାସରେ ବରପାଲି ରାଜ୍ୟଭାର ପ୍ରାପ୍ତ ହୋଇ ଗଭର୍ଣ୍ଣମେଣ୍ଟଙ୍କଠାରେ ସେହିପରି ରାଜଭକ୍ତି ପ୍ରଦର୍ଶନ କଲେ । ତହିଁ ନିମନ୍ତେ ପ୍ରଶଂସିତ କମିଶନର ସାହେବ ତାହାଙ୍କ ପ୍ରତି ମଧ୍ୟ ପ୍ରୀତି ପ୍ରକାଶ କଲେ । ରାଜେନ୍ଦ୍ର ସିଂହ ୧୮୬୫ ଖ୍ରୀଷ୍ଟାବ୍ଦରେ ବରପାଲିରେ ଗୋଟିଏ ଏଙ୍ଗ୍ଲୋ-ଭର୍ଣ୍ଣାକ୍ୟୁଲର ସ୍କୁଲ ସ୍ଥାପନ କରି ରାଜ୍ୟର ବାଳକମାନଙ୍କ ସହିତ ନୃପରାଜ ସିଂହଙ୍କର ଶିକ୍ଷାର ବ୍ୟବସ୍ଥା କରିଥିଲେ । ନୃପରାଜ ସିଂହ ଉଚ୍ଚ ଶିକ୍ଷାରେ କୃତକାର୍ଯ୍ୟ ନ ହେଉଣୁ ୧୮୬୯ ଖ୍ରୀଷ୍ଟାବ୍ଦରେ ପୁତ୍ରହୀନ ରାଜେନ୍ଦ୍ର ସିଂହ ପରଲୋକ ଗମନ କରିବାରୁ ୧୭ ବର୍ଷ ବୟସରେ ତାଙ୍କ ପଦରେ ଅଭିଷିକ୍ତ ହେଲେ ।

***

 

ଦ୍ୱିତୀୟ ପରିଚ୍ଛେଦ : ଶୃଙ୍ଖଳା-ସ୍ଥାପନ

 

ନୃପରାଜ ସିଂହଙ୍କୁ ରାଜ୍ୟଭାର ସଙ୍ଗେ ସଙ୍ଗେ ଅଗ୍ରଜକୃତ ଋଣଭାର ଗ୍ରହଣ କରିବାକୁ ପଡ଼ିଲା । ସେ ରାଜ୍ୟଭାର ଗ୍ରହଣର ଅଳ୍ପକାଳ ପରେ ୧୮୭୧ ଖ୍ରୀଷ୍ଟାବ୍ଦରେ ଗଞ୍ଜାମ ଜିଲ୍ଲା ସାନଖେମଣ୍ଡିର ଗଙ୍ଗବଂଶୀୟରାଜା ରଘୁନାଥ ଦେବଙ୍କର ଦୁହିତାଙ୍କର ପାଣିଗ୍ରହଣ କଲେ । ଏହି ବିବାହ ରାଜୋଚିତ ସମାରୋହରେ ହେବାରୁ ଏଥି ସକାଶେ ମଧ୍ୟ କିଛି ଋଣ କରିବା ଆବଶ୍ୟକ ହୋଇଥିଲା ।

 

ନୃପରାଜ ସିଂହ ବିବାହକରଣାନ୍ତର ବ୍ୟସନାସକ୍ତ ନହୋଇ ଋଣ ପରିଶୋଧ ଓ ରାଜ୍ୟ ଉନ୍ନତିସାଧନରେ ନ୍ୟସ୍ତଚିତ୍ତ ହେଲେ । ସେ ରାଜ୍ୟର ଅବସ୍ଥା ପର୍ଯ୍ୟାଲୋଚନା କରି ଦେଖିଲେ ଯେ ଋଣର ପରିମାଣ ବାର୍ଷିକ ଆୟର ତିନି ଗୁଣ । ଯାହା ଆୟ ହୁଏ, ତାହା ନିଜର ନିତାନ୍ତ ପ୍ରୟୋଜନୀୟ ବ୍ୟୟକୁ ସୁଦ୍ଧା ଅପ୍ରତୁଳ । କିଛି ବିଶେଷ କାର୍ଯ୍ୟ କରିବାକୁ ହେଲେ ଉତ୍ତମର୍ଣ୍ଣମାନଙ୍କ ଦ୍ୱାରସ୍ଥ ହେବାକୁ ବାଧ୍ୟ । ସୁଧର ଦର ଶତକଡ଼ା ମାସିକ ୨ ଟଙ୍କାରୁ ୩ ଟଙ୍କା । ଏଥିରେ ଋଣ ହ୍ରାସ ହେବା ଦୂରେ ଥାଉ, ଋଣର ବୃଦ୍ଧି ବେଗବତୀ ହେବା ଅବଶ୍ୟମ୍ଭାବୀ । ପୁଣି ଆୟ ସବୁ ଅତି ବିଶୃଙ୍ଖଳ-। ଚାଉଳ, ମୁଗ, ଘିଅ, କାଠ, ପରିବା ପର୍ଯ୍ୟନ୍ତ ରାଜସ୍ୱର ଅଙ୍ଗୀଭୂତ । ନଗଦ ଟଙ୍କାର ସଂଖ୍ୟା ଅତି ଅଳ୍ପ । ରାଜ୍ୟର ନୂତନ ବନ୍ଦୋବସ୍ତ କରିବାକୁ ହେଲେ ଗଭର୍ଣ୍ଣମେଣ୍ଟଙ୍କର ସାହାଯ୍ୟ ନିତାନ୍ତ ଆବଶ୍ୟକ । ନୃପରାଜ ସିଂହ ଏହି ସବୁ ଅବସ୍ଥାକୁ ଦୃଷ୍ଟିକରି ସମ୍ବଲପୁରର ତଦାନୀନ୍ତନ କମିଶନର ମି: ବୋଇ ସାହେବଙ୍କ ଆନୁକୂଲ୍ୟରେ ଉପରୋକ୍ତ ରାଜସ୍ୱ ଅଙ୍ଗଭୁକ୍ତ ପଦାର୍ଥସବୁର ମୂଲ୍ୟ କଷି ଦ୍ରବ୍ୟ ବଦଳରେ ନଗଦ ଟଙ୍କା ନେବାର ବ୍ୟବସ୍ଥା କଲେ । ଗ୍ରାମ ଠିକାଦାରମାନେ ୫ ବର୍ଷ ନିମନ୍ତେ ଗ୍ରାମ ଠିକା ନେଇ ୫ ବର୍ଷର ଦେୟ ଏକାଥରକେ ଅଗ୍ରିମ ଦାନ କରୁଥିଲେ । ନୃପରାଜ ସିଂହ ସେମାନଙ୍କର ଠିକାର ସମୟ ୧୦ ବର୍ଷ ନିରୂପଣ କରି ୧୦ ବର୍ଷର ଦେୟ ଅଗ୍ରିମ ଗ୍ରହଣ କରିବାର ସ୍ଥିର କଲେ; କିନ୍ତୁ ତାହା ଏକଥରରେ ନିଆଗଲେ ଠିକାଦାରମାନଙ୍କୁ ବିଶେଷ କଷ୍ଟ ହେବ ବୋଲି ଦୁଇ ଥରରେ ଆଦାନ କଲେ । ଆପଣାର ଆୟବ୍ୟୟର ଗୋଟିଏ ତାଲିକା ପ୍ରସ୍ତୁତ କରି ବ୍ୟୟସଙ୍କୋଚ ଦ୍ଵାରା ଟଙ୍କା ଉଦ୍‌ବର୍ତ୍ତନର ପନ୍ଥା ଉଦ୍ଭାବନ କଲେ । ଉଦ୍‌ବୃତ୍ତ ଟଙ୍କାସବୁ ଋଣ ପରିଶୋଧ ଫଣ୍ଡ୍‌ରେ ରଖି ସମଗ୍ର ଋଣ ଏକଜଣ ମହାଜନଠାରୁ ଶତକଡ଼ା ମାସିକ ୧ ଟଙ୍କା ସୁଧରେ ରଖି ବେଶୀ ସୁଧର ଋଣସବୁ ଏକାବେଳକେ ପରିଶୋଧ କରିଦେଲେ ଏବଂ ଉଦ୍‌ବୃତ୍ତ ଟଙ୍କା ନିୟମିତ ରୂପେ ପରିଶୋଧ କରିବାଦ୍ୱାରା କ୍ରମେ କ୍ରମେ ଋଣ ହ୍ରାସ କରିବାକୁ ଲାଗିଲେ; କିନ୍ତୁ ଋଣ ନୃପରାଜ ସିଂହଙ୍କର ଆଭିଜାତ୍ୟ ଓ ଔଦାର୍ଯ୍ୟ ସକାଶେ ତାଙ୍କୁ ସମ୍ପୂର୍ଣ୍ଣରୂପେ ତ୍ୟାଗ କରିପାରିଲା ନାହିଁ ।

 

ଏଣେ ନୃପରାଜ ସିଂହଙ୍କର ନବନବ ପୁତ୍ରକନ୍ୟା ଜାତହୋଇ ତାହାଙ୍କର ଗୃହ ଶୋଭିତ କରିବାକୁ ଲାଗିଲେ । ସେମାନଙ୍କର ନୈମିତ୍ତିକ କାର୍ଯ୍ୟରେ ଗୃହରେ ନିତି ନିତି ଉତ୍ସବର ଅନୁଷ୍ଠାନ ଅତ୍ୟାବଶ୍ୟକ ହୋଇପଡ଼ିଲା । ନୃପରାଜ ସିଂହ ଚତୁରତା ଓ ପ୍ରବୀଣତା ସହିତ ଆୟବ୍ୟୟ ତାଲିକା ଉପରେ ବିଶେଷ ଦୃଷ୍ଟି ରଖି ଅକ୍ଷୁଣ୍ଣ ମାନସମ୍ଭ୍ରମରେ ସକଳ କାର୍ଯ୍ୟ ସମ୍ପାଦନ କଲେ । ନୃପରାଜ ସିଂହ ନିଜର ଋଣଭାର ଉଶ୍ୱାସ କରିବା ନିମନ୍ତେ ଗ୍ରାମ ଠିକାଦାରମାନଙ୍କଠାରୁ ୧୦ ବର୍ଷର ପ୍ରାପ୍ୟ ଗ୍ରହଣ କଲେ; କିନ୍ତୁ ଦେଖିଲେ ଯେ ସେମାନଙ୍କ ମଧ୍ୟରେ ଅନେକେ ଅକିଞ୍ଚନ ଓ ଋଣଗ୍ରସ୍ତ ହୋଇପଡ଼ିଛନ୍ତି । ସେମାନଙ୍କର ଉତ୍ତମର୍ଣ୍ଣମାନେ ସେମାନଙ୍କର ଗ୍ରାସ ଛଡ଼ାଇବାକୁ ହସ୍ତ ପ୍ରସାରଣ କରୁଅଛନ୍ତି । ଅନେକଙ୍କର କଷ୍ଟସଂସ୍ଥିତ ଅନ୍ତ ମହାଜନର ଭଣ୍ଡାରଭୁକ୍ତ ହେଉଅଛି । ସହୃଦୟ ନୃପରାଜ ସିଂହଙ୍କ ପକ୍ଷରେ ତାହା ଅସହ୍ୟ ହୋଇଉଠିଲା । ସେ ଠିକାଦାରମାନଙ୍କର ଦୁରବସ୍ଥା ଦୂରକରିବା ନିମନ୍ତେ ଉପଯୁକ୍ତ ବିଧିବ୍ୟବସ୍ଥା କରି ଗଭର୍ଣ୍ଣମେଣ୍ଟଙ୍କଠାରୁ ଧନ୍ୟବାଦର ସହିତ ସହାନୁଭୂତି ଲାଭକରି ନିଜର ଅଭିପ୍ରାୟ ସିଦ୍ଧକଲେ । ଉତ୍ତମର୍ଣ୍ଣମାନେ ଗ୍ରାମ ଠିକାଦାରମାନଙ୍କଠାରୁ ଗ୍ରାମ ବନ୍ଧକ ବା ବିକ୍ରୟଦ୍ୱାରା ନେଇ ନ ପାରିବାର ବିଧିବଦ୍ଧ ହେଲା । ଭୂମିର ଅବସ୍ଥା ଦୃଷ୍ଟିରେ ସେମାନଙ୍କର (ଠିକାଦାରମାନଙ୍କର) ଦେୟ ନିର୍ଣ୍ଣୟ କରାଯାଇ ବାର୍ଷିକ ଦେୟ ବର୍ଷରେ ତିନି ଭାଗରେ ତିନି ଥରରେ ଆଦାନ କରାଯିବାର ସ୍ଵୀକୃତ ହୋଇ ୧୦ ବର୍ଷ ନିମନ୍ତେ ପଟ୍ଟା ଦିଆଗଲା । ଠିକାଦାରମାନେ ଏହି ହିତକର ପ୍ରସ୍ତାବକୁ ପ୍ରଥମରେ ତିକ୍ତ ବୋଧ କରୁଥିଲେ । ତହିଁ ନିମନ୍ତେ ନୃପରାଜ ସିଂହଙ୍କୁ ଅନେକ ଅର୍ଥବ୍ୟୟ ଓ ପରିଶ୍ରମ କରିବାକୁ ପଡ଼ିଲା । ୩/୪ ଜଣ ଠିକାଦାର ମହାଜନମାନଙ୍କର ପ୍ରବର୍ତ୍ତନାରେ ପଡ଼ି ଉକ୍ତ ନିୟମରେ ପଟ୍ଟା ଗ୍ରହଣ କରିବାକୁ ସ୍ୱୀକାର ନ କରିବାରୁ ଦେବାନୀ ଅଦାଲତଦ୍ୱାରା ଗ୍ରାମରୁ ଉଚ୍ଛନ୍ନ ହେଲେ । ସୁତରାଂ ଠିକାଦାରମାନେ ମହାଜନମାନଙ୍କଠାରୁ ଋଣ ପାଇବାର କଷ୍ଟ ହେଲା; କିନ୍ତୁ ନୃପରାଜ ସିଂହ ଠିକାଦାରମାନଙ୍କୁ ଗଭର୍ଣ୍ଣମେଣ୍ଟରୁ ତଗାବୀ ଗ୍ରହଣ କରିବା ସୁବିଧା ଦେଖାଇ ସେମାନଙ୍କ ରକ୍ଷାର ପଥ ପ୍ରଶସ୍ତତର କରିଦେଲେ । ପ୍ରସ୍ତାବିତ ନିୟମର ପଟ୍ଟା ଗ୍ରହଣ ନିମନ୍ତେ ଠିକାଦାରମାନଙ୍କ ପ୍ରତି ଯେଉଁ ଅନୁକୂଳ ଗଳହସ୍ତ ପ୍ରୟୋଗ କରାଯାଇଥିଲା, ସେମାନେ ତହିଁର ଉପକାରିତା ବର୍ତ୍ତମାନ ଅବଗତ ହୋଇଅଛନ୍ତି; ସୁତରାଂ ନୃପରାଜ ସିଂହ ସେମାନଙ୍କର ଅଶେଷ ପ୍ରୀତି, ଭକ୍ତି ଓ କୃତଜ୍ଞତାଲାଭର ପ୍ରକୃତ ଅଧିକାରୀ ଅଟନ୍ତି ।

 

ଏହି କାର୍ଯ୍ୟ ସଙ୍ଗେ ସଙ୍ଗେ ପ୍ରଜାମାନଙ୍କର ମଧ୍ୟ ବିଶୃଙ୍ଖଳା ଭଞ୍ଜନ କରାଗଲା । ପ୍ରଜାମାନଙ୍କର କାହାର ଉପବାସ, କାହାର ପୌଷ ମାସ ହେଉଥିଲା । ସମପରିମିତ ଭୂମି ନିମନ୍ତେ କେହି ୧ ଟଙ୍କା, କେହି ୪ ଟଙ୍କା ରାଜସ୍ୱ ଦେଉଥିଲେ, ଠିକାଦାରମାନେ ମଧ୍ୟ ସେମାନଙ୍କଠାରୁ ନାନାପ୍ରକାର ଅତିରିକ୍ତ ଲାଭ ଗ୍ରହଣ କରୁଥିଲେ । ଏତଦ୍‌ଭିନ୍ନ ବରପାଲି ଇଲାକାରେ ଏତଦ୍‌ପୂର୍ବରେ ପ୍ରାୟ ଏକ ସହସ୍ର ଅସ୍ତ୍ରଧାରୀ ସିପାହି ଥିଲେ । ସେମାନେ କେହି ନିଷ୍କରରେ, କେହି ଅର୍ଦ୍ଧ-କରରେ ଭୂମି ଭୋଗ କରି ଆବଶ୍ୟକ ସମୟରେ ବରପାଲି ଅଧିପତିଙ୍କ ନିକଟରେ ଉପସ୍ଥିତ ହୋଇ କାର୍ଯ୍ୟ କରୁଥିଲେ । ଜିଲ୍ଲାର ରାଜବିପ୍ଳବ ସମୟରେ ସେମାନଙ୍କଦ୍ୱାରା ଗଭର୍ଣ୍ଣମେଣ୍ଟଙ୍କର ବହୁତ ସହାୟତା କରିବାକୁ ହୋଇଥିଲା । ସମ୍ପ୍ରତି ସର୍ବତ୍ର ଶାନ୍ତି ବିରାଜିତ; କୌଣସି ଉପଦ୍ରବର ଆଶଙ୍କା ନାହିଁ । ଉପଦ୍ରବ ନିବାରଣର ଭାର ଗଭର୍ଣ୍ଣମେଣ୍ଟଙ୍କ ହସ୍ତରେ ରହିଲା । ସିପାହିମାନେ କରିବେ କଅଣ ? ଅନେକ ସିପାହିଙ୍କର ଭୋଗ ଭୂମି ଠିକାଦାରମାନଙ୍କର ହସ୍ତଗତ ହୋଇଥିଲା । ସମସ୍ତ ଭୂମି ଉପରେ ସମପରିମାଣରେ କର ଧାର୍ଯ୍ୟ କରାଯାଇ ପ୍ରଜାମାନଙ୍କର ବିଶୃଙ୍ଖଳା ଭଙ୍ଗନ କରାଗଲା । ଏତଦ୍ଦ୍ୱାରା ଶୃଙ୍ଖଳାସ୍ଥାପନ ଏବଂ ନୃପରାଜ ସିଂହଙ୍କର ଆୟ ବୃଦ୍ଧି ଉଭୟ କାର୍ଯ୍ୟ ହୋଇଗଲା ।

***

 

ତୃତୀୟ ପରିଚ୍ଛେଦ : ଗୌରବ-ପ୍ରସାର

 

ନୃପରାଜ ସିଂହ ଆପଣାର ଗୌରବ ପ୍ରସାରଣ ବିଷୟରେ ପ୍ରଶଂସନୀୟ କୃତିତ୍ଵ ଦେଖାଇଅଛନ୍ତି । ତାହାଙ୍କର ପିତୃପିତାମହାଦିଗଣ ଯେଉଁମାନଙ୍କ ସହିତ ସମ୍ବନ୍ଧ ସ୍ଥାପନ କରିଥିଲେ, ସେମାନେ ବିଶୁଦ୍ଧ ଏବଂ ପ୍ରସିଦ୍ଧ ରାଜବଂଶୀୟ ଥିଲେହେଁ ସେମାନଙ୍କର ଖ୍ୟାତି ବା ପଦ ଉଲ୍ଲେଖଯୋଗ୍ୟ ନ ଥିଲା । ଭବାନୀ ସିଂହ ଚନ୍ଦେଲ ଓ ନାଗବଂଶୀୟ କ୍ଷତ୍ରିୟମାନଙ୍କୁ ନିଜ ରାଜ୍ୟରେ ରଖି ଚନ୍ଦେଲକନ୍ୟାଙ୍କ ସହିତ ପୁତ୍ର ଗଜେନ୍ଦ୍ର ସିଂହଙ୍କର ଓ ନାଗବଂଶୀୟ କ୍ଷତ୍ରିୟକନ୍ୟାଙ୍କ ସହିତ ପୌତ୍ର ରାଜେନ୍ଦ୍ର ସିଂହଙ୍କର ବିବାହ କରାଇଥିଲେ । ନୃପରାଜ ସିଂହ ପ୍ରଧାନ ପ୍ରଧାନ ରାଜା ମହାରାଜାଙ୍କଠାରେ ସାକ୍ଷାତ୍‌କାର, ସଦାଳାପ ଓ ପତ୍ରାଦିଦ୍ୱାରା ନିଜର ସୌଜନ୍ୟ, ସୌହାର୍ଦ୍ଦ୍ୟ ଓ ନିରଭିମାନତା ପ୍ରକାଶ କରି ସେମାନଙ୍କର ପ୍ରୀତି ଆକର୍ଷଣ କରିଅଛନ୍ତି । ତହିଁରେ ରାଜାମାନଙ୍କ ଶ୍ରେଣୀରେ ତାହାଙ୍କର ଜାତୀୟ ଗୌରବାସନ ସଂସ୍ଥାପିତ ହୋଇଅଛି । ପାଟଣାର ବର୍ତ୍ତମାନ ମହାରାଜା ଶ୍ରୀମାନ୍ ଦଳଗଞ୍ଜନ ସିଂହ ଦେବ ଓ ସୋନପୁରର ଭୂତପୂର୍ବ ମହାରାଜା ନୀଳାଧର ସିଂହ ନୃପରାଜ ସିଂହଙ୍କର ସୌଭ୍ରାତ୍ର ଓ ସଦ୍‌ବ୍ୟବହାରରେ ପରିତୁଷ୍ଟ ହୋଇ ତାଙ୍କଠାରେ ସୋଦର-ସ୍ନେହ ଅର୍ପଣ କରି ସମୟେ ସମୟେ ତାଙ୍କ ଗୃହରେ ବିରାଜମାନ ହେବା ଓ ଘନିଷ୍ଠ କୁଟୁମ୍ବିତା ପ୍ରଦର୍ଶନ କରିବାଦ୍ୱାରା ତାହାଙ୍କୁ ଆପ୍ୟାୟିତ କରିଅଛନ୍ତି । ପାଟନାର ସ୍ୱର୍ଗୀୟ ମହାରାଜା ରାମଚନ୍ଦ୍ର ସିଂହ ଦେବ ନୃପରାଜ ସିଂହଙ୍କ ଗୃହକୁ ନିଜ ଗୃହରୁ ଭିନ୍ନ ବୋଧ କରୁ ନ ଥିଲେ । ବାମଣ୍ଡାର ସ୍ଵର୍ଗୀୟ ମହାରାଜା ସାର୍ ସୁଢ଼ଳ ଦେବ, କେ.ସି.ଆଇ.ଇ. ମହୋଦୟ ନୃପରାଜ ସିଂହଙ୍କୁ ପ୍ରିୟତମ ବନ୍ଧୁରୂପେ ଗ୍ରହଣ କରି ୧୮୮୯ ଖ୍ରୀଷ୍ଟାବ୍ଦରେ ତାହାଙ୍କର ପିତୃବ୍ୟପୁତ୍ର ଲାଲ କେଶବ ଚନ୍ଦ୍ର ଦେବଙ୍କୁ ନୃପରାଜ ସିଂହଙ୍କର ପ୍ରଥମ ଦୁହିତାଙ୍କ ସହିତ ବିବାହ କରାଇଲେ । ୧୮୯୨ ଖ୍ରୀଷ୍ଟାବ୍ଦରେ ସରଗୁଜାର ମହାରାଜା ରଘୁନାଥ ଶରଣ ସିଂହ ଦେବ ନୃପରାଜ ସିଂହଙ୍କର ଦ୍ୱିତୀୟ ଦୁହିତାଙ୍କର ପାଣିଗ୍ରହଣ କଲେ । ୧୮୯୩ ଖ୍ରୀଷ୍ଟାବ୍ଦରେ ମୟୂରଭଞ୍ଜର ସୂର୍ଯ୍ୟବଂଶୀୟ ପ୍ରସିଦ୍ଧ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ନୃପରାଜ ସିଂହଙ୍କର ପୁତ୍ର ଲାଲ ବୀର ମହେନ୍ଦ୍ର ସିଂହଙ୍କୁ ନିଜର ଦ୍ୱିତୀୟ ଭଗିନୀଙ୍କୁ ପାଣି ପ୍ରଦାନ କରାଇଅଛନ୍ତି । ପରେ ୧୯୦୨ ଖ୍ରୀଷ୍ଟାବ୍ଦରେ ନୃପରାଜ ସିଂହଙ୍କ ଏକ ଦୁହିତାଙ୍କୁ ବଉଦର ମହାରାଜାଙ୍କର ଭ୍ରାତୁଷ୍ଠୁତ୍ର ଓ ଅନ୍ୟ ଦୁହିତାଙ୍କୁ କଳାହାଣ୍ଡି ଅନ୍ତର୍ଗତ ଥୁଆମୂଳର ପାଟରାଜା ବିବାହ କରିଅଛନ୍ତି । ଏହିସବୁ କାର୍ଯ୍ୟ ସମ୍ପାଦନ କରିବାକୁ ନୃପରାଜ ସିଂହଙ୍କୁ ଯେତେ ଯେତେ ଅର୍ଥ ବ୍ୟୟ କରିବାକୁ ପଡ଼ିଅଛି, ଅବସ୍ଥା ଦୃଷ୍ଟିରେ ତାହା ଅଧିକ ହୋଇଥିଲେ ହେଁ କାର୍ଯ୍ୟଦୃଷ୍ଟିରେ ଅଳ୍ପ ବୋଲିବାକୁ ହେବ । ନୃପରାଜ ସିଂହ ପ୍ରଜାମାନଙ୍କର ଏପରି ପ୍ରୀତି ଆକର୍ଷଣ କରିଅଛନ୍ତି ଯେ, କି ଅର୍ଥ କି ଲୋକ ଯେତେବେଳେ ଯାହା ଆବଶ୍ୟକ ତାହା ଅକ୍ଳେଶରେ ଲାଭକରି ସକଳ କାର୍ଯ୍ୟ ସମ୍ଭ୍ରମ ସହକାରରେ ନିର୍ବାହ କରିଅଛନ୍ତି । ସରଗୁଜା ମହାରାଜାଙ୍କୁ କନ୍ୟା ଦେବା ଓ ମୟୂରଭଞ୍ଜ ମହାରାଜାଙ୍କ ଗୃହରୁ କନ୍ୟା ଆଣିବା କାର୍ଯ୍ୟ କେମନ୍ତ ଗୁରୁତର ଓ ଅର୍ଥସାପେକ୍ଷ, ତାହା ଅବଶ୍ୟ ଅନୁମେୟ । ନୃପରାଜ ସିଂହ ପ୍ରତ୍ୟେକ କାର୍ଯ୍ୟର ପୂର୍ଣ୍ଣ ଆୟୋଜନ ୧୫ ଦିନ ମଧ୍ୟରେ କରିପାରିଅଛନ୍ତି । ଏପରି କାର୍ଯ୍ୟ ବଡ଼ ବଡ଼ ରାଜାମାନଙ୍କ ପକ୍ଷରେ ସହଜସାଧ୍ୟ ହେଲେହେଁ, ଜଣେ କ୍ଷୁଦ୍ର ରାଜ୍ୟର ଅଧିପତିଙ୍କ ପକ୍ଷରେ ବାହାଦୁରି ବୋଲିବାକୁ ହେବ । ନୃପରାଜ ସିଂହଙ୍କର ଏହି ବାହାଦୁରି ସପକ୍ଷ-ହୃଦୟରେ ହର୍ଷ ଓ ବିପକ୍ଷ-ହୃଦୟରେ ବିଷାଦ ଜନ୍ମାଇ ଦେଇଅଛି । ନୃପରାଜ ସିଂହ ୧୮୮୯ ଖ୍ରୀଷ୍ଟାବ୍ଦରୁ ୧୯୦୨ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ କ୍ରମାଗତ ୧୩-୧୪ ବର୍ଷକାଳ ଉପର୍ଯ୍ୟୁପରି ବ୍ୟୟପ୍ଳାବିତ ହୋଇ କେତେବେଳେ ସୁଦ୍ଧା ଆପଣାକୁ ଅବସନ୍ନ ବୋଧକରି ନାହାନ୍ତି । ଏଥିମଧ୍ୟରେ ସାଧାରଣର ହିତକର କାର୍ଯ୍ୟାଦିରେ ମଧ୍ୟ ତାହାଙ୍କର ବ୍ୟୟହାର ଅନବରୁଦ୍ଧ ଥିଲା । କୃପଣତା ତାହାଙ୍କର ଅପ୍ରିୟ ଓ ଔଦାର୍ଯ୍ୟ ପରମ ପ୍ରିୟ ହୋଇଅଛି । ତାହା ହୋଇନଥିଲେ ସେ ସ୍ୱୀୟ ଯଶଃ ଓ ଗୌରବ ବୃଦ୍ଧି କରିପାରିନଥାନ୍ତେ । ତାହାଙ୍କର ମିତାଚାର ଓ ମିତବ୍ୟୟିତା ମଧ୍ୟ ଅପ୍ରଶଂସନୀୟ ନୁହେଁ ।

 

ଚତୁର୍ଥ ପରିଚ୍ଛେଦ : ରାଜଭକ୍ତି ଓ ସତ୍‌କାର୍ଯ୍ୟ

 

ନୃପରାଜ ସିଂହଙ୍କ ଯୋଗ୍ୟତା ଦେଖି ଗଭର୍ଣ୍ଣମେଣ୍ଟ ୧୮୭୫ ଖ୍ରୀଷ୍ଟାବ୍ଦରେ ତାଙ୍କୁ ପ୍ରଥମରେ ତାଙ୍କ ରାଜ୍ୟ ପାଇଁ ତୃତୀୟ ଶ୍ରେଣୀର ଅବୈତନିକ ମାଜିଷ୍ଟ୍ରେଟ କ୍ଷମତା ପ୍ରଦାନ କଲେ । ଅଳ୍ପକାଳ ପରେ ଦ୍ୱିତୀୟ ଶ୍ରେଣୀର ମାଜିଷ୍ଟ୍ରେଟ କ୍ଷମତା ଦେଇ ତାଙ୍କ ଇଲାକାର ନିକଟବର୍ତ୍ତୀ ଖାଲସାର କେତେକାଂଶରେ ମଧ୍ୟ ସେହି କ୍ଷମତା ପରିଚାଳନାର ଆଦେଶ ଦେଲେ । ପରେ କାର୍ଯ୍ୟର ଉତ୍କର୍ଷ ଅବଲୋକନ କରି କେତେକ ବିଶେଷ କ୍ଷମତା ସହିତ ସମ୍ବଲପୁର ଜିଲ୍ଲାର ସର୍ବତ୍ର କାର୍ଯ୍ୟ କରିପାରିବା ଭାରାର୍ପଣ କଲେ । ନୃପରାଜ ସିଂହ ଦକ୍ଷତାର ସହିତ ଏହି କାର୍ଯ୍ୟ ସମ୍ପାଦନ କରି ଗଭର୍ଣ୍ଣମେଣ୍ଟଙ୍କ ନିକଟରୁ ପୁନଃ ପୁନଃ ପ୍ରଶଂସା ଲାଭ କରିଅଛନ୍ତି ।

 

ଗଭର୍ଣ୍ଣମେଣ୍ଟ ନୃପରାଜ ସିଂହଙ୍କର ଗୌରବ ରକ୍ଷା ନିମନ୍ତେ ସେ ଦେବାନୀ ଅଦାଲତରେ ଉପସ୍ଥିତ ହେବାକୁ ବାଧ୍ୟ ନ ଥିବାର ଆଜ୍ଞା ପ୍ରଦାନ କରିଅଛନ୍ତି ଏବଂ ତାଙ୍କୁ ଦରବାରମାନଙ୍କରେ ରାଜାମାନଙ୍କ ସଙ୍ଗରେ ଆସନ ଦେଉଅଛନ୍ତି । ସେ ଗଭର୍ଣ୍ଣମେଣ୍ଟଙ୍କ ଆମନ୍ତ୍ରଣରେ ଦିଲ୍ଲୀ ଯାଇ ମହାମାନ୍ୟ ଭାରସମ୍ରାଟ୍ ସପ୍ତମ ଏଡ୍‌ଓ୍ୱାର୍ଡ଼ଙ୍କ ଅଭିଷେକୋତ୍ସବରେ ଯୋଗଦାନ କରିଥିଲେ । ତହିଁନିମିତ୍ତ ଗଭର୍ଣ୍ଣମେଣ୍ଟଙ୍କ ପ୍ରୀତିର ନିଦର୍ଶନ ସ୍ୱରୂପ ‘‘କୈଶରହିନ୍ଦ୍’’ ରୌପ୍ୟ ପଦକ ପାଇଅଛନ୍ତି ।

 

ନୃପରାଜ ସିଂହ ଦେଶର ଉପକାର ନିମନ୍ତେ ସମୟେ ସମୟେ କୌଣସି କୌଣସି ପ୍ରସ୍ତାବ କରି ଗଭର୍ଣ୍ଣମେଣ୍ଟଙ୍କ ନିକଟରେ ପ୍ରାର୍ଥନା କରିଥାଆନ୍ତି । ଥରେ ଚୌରୋପଦ୍ରବ ନିବାରଣ ନିମନ୍ତେ କେତେକ କଠୋର ବିଧି ପ୍ରବର୍ତ୍ତନ କରାଯିବା ସକାଶେ ସମ୍ବଲପୁର ଡେପୁଟୀ କମିଶନରଙ୍କୁ ଜଣାଇଥିଲେ । ତେତେବେଳେ ତାହା ଡେପୁଟୀ କମିଶନରଙ୍କୁ ଅଯୌକ୍ତିକବୋଧ ହୋଇଥିଲା । କିନ୍ତୁ କିଛିଦିନପରେ ସେ ତଦନୁରୂପ ବିଧାନ କରିବାରୁ ଚୌରୋପଦ୍ରବ ବହୁ ପରିମାଣରେ ନିବାରିତ ହୋଇଅଛି । ଦୁର୍ଭିକ୍ଷ ସମୟରେ ଅନ୍ତ୍ୟଜ ଜାତିର ଲୋକମାନେ ମାଂସ ଓ ଚର୍ମ ଲୋଭରେ ଅପର୍ଯ୍ୟାପ୍ତ ଗୋ-ବଧ କରିବାକୁ ଲାଗିଲେ; କେତେକାଂଶରେ ତହିଁର ପ୍ରତିକାର ହେବା ଆଶାରେ ଗୋ-ବିକ୍ରେତା ଓ ଗୋ-ଚର୍ମ ବିକ୍ରେତାମାନେ ଗ୍ରାମାଧିପଠାରୁ ଗୋ’ ବା ଗୋ-ଚର୍ମ ନିର୍ଦ୍ଦୋଷ ଥିବାର, ତାହାର ପରିଚୟଯୋଗ୍ୟ ବର୍ଷ ଚିହ୍ନାଦି ଉଲ୍ଲେଖଯୁକ୍ତ ସାର୍ଟିଫିକେଟ ନେବା, ସାର୍ଟିଫିକେଟବିହୀନ ବିକ୍ରେୟ ବା ବିକ୍ରୀତା ଗୋ‘ବା ଗୋ-ଚର୍ମ ଅପହୃତ ବିବେଚିତ ହେବା ବିଧି ପ୍ରବର୍ତ୍ତିତ ହେବାକୁ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । ସେହି ବିଧି ପ୍ରବର୍ତ୍ତିତ ହେଲା ଓ ତଦ୍ଦ୍ୱାରା ଉପକାର ମଧ୍ୟ ହେଉଅଛି ।

 

ସେ ୧୮୯୭ ସାଲର ଦୁର୍ଭିକ୍ଷରେ ରାୟପୁର-ବିଳାସପୁର ଅଞ୍ଚଳର ଶତ ଶତ ଦୁର୍ଭିକ୍ଷପୀଡ଼ିତ ଲୋକଙ୍କୁ ପାଳନ କଲେ ଏବଂ ସ୍ଵର୍ଗୀୟା ଭାରତେଶ୍ୱରୀଙ୍କ ମଙ୍ଗଳକାମନାରେ ହୀରକ ଜୁବିଲିରେ ସେମାନଙ୍କୁ ବସ୍ତ୍ର ଦାନ କରିଥିଲେ । ସେ ସେସମୟରେ ଗୋଟିଏ ଦରବାର କରି ଏବଂ ଦେବମନ୍ଦିରମାନଙ୍କରେ ସ୍ତୁତିପାଠ କରାଇ ମହାରାଣୀଙ୍କ ଶୁଭବାଞ୍ଛା କରିଥିଲେ । ଏହାଭିନ୍ନ ଭାରତେଶ୍ୱରୀଙ୍କ ନାମରେ ଗୋଟିଏ ଉଦ୍ୟାନ ଉତ୍ସର୍ଗ କରିଅଛନ୍ତି । ୧୮୯୯ ସାଲର ଦୁର୍ଭିକ୍ଷରେ ପ୍ରଜାରକ୍ଷା ନିମନ୍ତେ ଗଭର୍ଣ୍ଣମେଣ୍ଟଙ୍କୁ ବିଶେଷ ସାହାଯ୍ୟ ଦାନ କରିଅଛନ୍ତି ଏବଂ ପ୍ରଜାମାନଙ୍କୁ ପ୍ରାୟ ୫୦୦ ପୁଡୁଗ (ପୁଡୁଗକୁ ପ୍ରାୟ ୫ ମହଣ) ବୀଜଧାନ ଯୋଗାଇଲେ । ସ୍ଵର୍ଗୀୟା ଭାରତେଶ୍ଵରୀ ଭିକ୍ଟୋରିଆଙ୍କ ସ୍ମୃତିରକ୍ଷା ଫଣ୍ଡ ନିମନ୍ତେ ଏକ ସହସ୍ର ଟଙ୍କା ପ୍ରଦାନ କରିଅଛନ୍ତି । ନୃପରାଜ ସିଂହ ଗଭର୍ଣ୍ଣମେଣ୍ଟଙ୍କୁ ଅର୍ଦ୍ଧବ୍ୟୟ ସାହାଯ୍ୟ ଦେଇ ଆପଣା ଇଲାକାରେ ଦଶଗୋଟି ସ୍କୁଲ ରଖିଥିଲେ । କେତେକ ବର୍ଷପରେ ସ୍କୁଲ ସବୁ ଉଠିଯିବାରୁ ନିଜ ବରପାଲିରେ ଗୋଟିଏ ଭର୍ଣ୍ଣାକ୍ୟୁଲର ମିଡ଼ିଲସ୍କୁଲ ରଖିଲେ । ୧୮୭୯ ଖ୍ରୀଷ୍ଟାବ୍ଦରେ ପୁରାତନ ସ୍କୁଲଗୃହ ଭାଙ୍ଗିଦେଇ ପ୍ରାୟ ଏକ ସହସ୍ର ଟଙ୍କା ବ୍ୟୟରେ ଗୋଟିଏ ନୂତନ ସ୍କୁଲଗୃହ ନିର୍ମାଣ କରିଦେଲେ । ୧୮୮୪ ସାଲରେ ତିନିଶତ ଟଙ୍କା ବ୍ୟୟରେ ବାଳିକା ସ୍କୁଲ ନିର୍ମାଣ କରିଦେଇ ବାଳିକାମାନଙ୍କ ଶିକ୍ଷା ନିମନ୍ତେ ବିଶେଷ ଦୃଷ୍ଟିରଖି ଲୋକମାନଙ୍କୁ ତହିଁପାଇଁ ଉତ୍ସାହିତ କରି ଆଦର୍ଶ ସ୍ୱରୂପ ଶିକ୍ଷାଗ୍ରହଣ ନିମନ୍ତେ ନିଜର ଦୁହିତାମାନଙ୍କୁ ସ୍କୁଲକୁ ପଠାଇଲେ । ଗୋଟିଏ ବ୍ରାଞ୍ଚ ସ୍କୁଲ ଆବଶ୍ୟକ ହେବାରୁ ୧୮୯୬ ସାଲରେ ବ୍ରାଞ୍ଚ ସ୍କୁଲଗୃହ ଗୋଟିଏ ନିର୍ମାଣ କରିଦେଲେ । ଏଥିରେ ମଧ୍ୟ ପ୍ରାୟ ତିନି ଶତ ଟଙ୍କା ଖର୍ଚ୍ଚ ହୋଇଅଛି । ସମ୍ବଲପୁରର ଡେପୁଟୀ କମିଶନର ମିଷ୍ଟର୍ ମୁସାହେବଙ୍କ ହସ୍ତରେ ଶେଷୋକ୍ତ ସ୍କୁଲର ଭିତ୍ତିରେ ପ୍ରଥମ ଇଷ୍ଟକପାତ କରାଇଲେ । ନିଜର ପୁତ୍ରଙ୍କର ଓ ଅନ୍ୟାନ୍ୟ ବାଳକମାନଙ୍କର ଶିକ୍ଷା ନିମନ୍ତେ ଗୋଟିଏ ଇଂରେଜୀ ସ୍କୁଲ ୧୮୮୪ ସାଲରୁ ୧୮୯୬ ସାଲ ପର୍ଯ୍ୟନ୍ତ ରଖିଥିଲେ । ବାଳକମାନଙ୍କର ବିଜ୍ଞାନଶିକ୍ଷା ନିମନ୍ତେ ୧୬୯ ଟଙ୍କାର ବିଜ୍ଞାନ ଯନ୍ତ୍ର କ୍ରୟକରି ଦେଇଅଛନ୍ତି । ତହିଁ ନିମନ୍ତେ ଗଭର୍ଣ୍ଣମେଣ୍ଟ ପିତ୍ତଳ ପଟାରେ ତାହାଙ୍କର ନାମ ଲେଖି ସ୍କୁଲର କାନ୍ଥରେ ଲଗାଇ ରଖିଅଛନ୍ତି । ମିଡ଼ିଲସ୍କୁଲ ଗୃହ ସଂଲଗ୍ନରେ ଗୋଟିଏ ମନୋହର ଉଦ୍ୟାନ ବାର୍ଷିକ ୧୨୦ ଟଙ୍କା ବ୍ୟୟରେ ବହୁକାଳ ପର୍ଯ୍ୟନ୍ତ ରଖିଥିଲେ । ନୃପରାଜ ସିଂହ ବାଳକବାଳିକାମାନଙ୍କର ଶିକ୍ଷାଗ୍ରହଣର ଉତ୍ସାହ ନିମନ୍ତେ ସର୍ବଦା ନାନାପ୍ରକାର ପୁରସ୍କାର ଦେଇ ଆସୁଅଛନ୍ତି । ଜିଲ୍ଲାର ଶିକ୍ଷକମାନଙ୍କର ବାର୍ଷିକ ସମିତିରେ ଉତ୍କୃଷ୍ଟ ବକ୍ତା ବା ଲେଖକଙ୍କୁ ପ୍ରତିବର୍ଷ ସ୍ୱର୍ଣ୍ଣରୌପ୍ୟ ପଦକାଦି ପ୍ରଦାନ କରୁଅଛନ୍ତି । ଏହିସବୁ ସତ୍‌କାର୍ଯ୍ୟ ନିମନ୍ତେ ସ୍କୁଲ ଇନ୍‌ସପେକ୍ଟର ଜେନେରଲ୍ ସାହେବ ପ୍ରତିବର୍ଷ ତାହାଙ୍କୁ ଭୂରି ଭୂରି ଧନ୍ୟବାଦ ପ୍ରଦାନ କରୁଅଛନ୍ତି । ଏହାଛଡ଼ା ନୃପରାଜ ସିଂହ ଅନେକ ଦରିଦ୍ର ଛାତ୍ରଙ୍କର ଉଚ୍ଚଶିକ୍ଷାରେ ସହାନୁଭୂତି ପ୍ରଦର୍ଶନ କରିଥାନ୍ତି । ସମ୍ବଲପୁର ଯୁବକ ସମିତିର କ୍ଳବ୍ ନିମନ୍ତେ ୫୦ ଟଙ୍କା ଦାନ କରିଅଛନ୍ତି । ସ୍ଥୂଳରେ କହିବାକୁ ଗଲେ ନୃପରାଜ ସିଂହ ସତ୍‌କାର୍ଯ୍ୟରେ ସହାନୁଭୂତି ଦାନରେ କେତେବେଳେ ପରାଙ୍‌ମୁଖ ନୁହନ୍ତି ।

 

ନୃପରାଜ ସିଂହ ବରପାଲି ବସତିକୁ ସୁଶୋଭିତ କରି ଲୋକଙ୍କର ସକଳ କଷ୍ଟ ଅସୁବିଧା ଦୂରକରିବା ନିମନ୍ତେ ଅତ୍ୟନ୍ତ ତତ୍ପର ଅଟନ୍ତି । ସେହିପରି କାର୍ଯ୍ୟମାନ କରି ଅନେକ ଦରିଦ୍ରଙ୍କର ଉଦରପୋଷଣର ସହାୟତା କରିଥାନ୍ତି । ତାଙ୍କଦ୍ଵାରା ଓ ତାଙ୍କ ଦତ୍ତ ଉତ୍ସାହରେ ଅନ୍ୟାନ୍ୟ ଲୋକଙ୍କଦ୍ଵାରା ବରପାଲିରେ ନିମ୍ନଲିଖିତ ସାଧାରଣ ହିତକର କାର୍ଯ୍ୟମାନ ହୋଇଅଛି । ଯଥା–

 

ନୃପରାଜ ସିଂହଙ୍କଦ୍ୱାରା ହୋଇଥିବା କାର୍ଯ୍ୟ ଓ ବ୍ୟୟର ଆନୁମାନିକ ସଂଖ୍ୟା –

ଯୋଗୀମୁଣ୍ଡା ଜଳାଶୟର ପଙ୍କୋଦ୍ଧାର ଟ ୧,୦୦୦/-

ବଡ଼କଟା ଓ ପୁରୁଣୀ ବନ୍ଧର ପଙ୍କୋଦ୍ଧାର ଟ ୭୦୦/-

ସମଲେଶ୍ୱରୀ ମନ୍ଦିରର ଜୀର୍ଣ୍ଣସଂସ୍କାର ଟ ୧, ୨୦୦/-

ମାତାଙ୍କ ନାମରେ ଜଗନ୍ନାଥ ମନ୍ଦିରର ମୁଖଶାଳା ନିର୍ମାଣ ଓ ମନ୍ଦିରର ଜୀର୍ଣ୍ଣସଂସ୍କାର ଟ-୧, ୨୦୦/-

ଜ୍ୟେଷ୍ଠ ଭ୍ରାତୃଜାୟାଙ୍କ ନାମରେ

ଗୋପାଳଜୀ ମହାପ୍ରଭୁଙ୍କ ମନ୍ଦିର ନିର୍ମାଣ ଟ ୮୦୦/-

ଏହି ମନ୍ଦିର ନିକଟରେ ଗୋଟିଏ କୂପ ଟ ୨୦୦/-

ଯୋଗୀମୁଣ୍ଡ ଶିବମନ୍ଦିର ଇତ୍ୟାଦି ଟ ୮୦୦/-

ଅନ୍ୟାନ୍ୟ ଲୋକଦ୍ୱାରା ହୋଇଥିବା କାର୍ଯ୍ୟ –

ବନମାଳୀ ମେହେର ଦ୍ୱାରା – ରାମେଶ୍ଵର ମନ୍ଦିର ଟ ୮୦୦/-

ବ୍ରାହ୍ମଣସମାଜର ସଂଗୃହୀତ ଅର୍ଥରେ କପିଳେଶ୍ଵର ଶିବମନ୍ଦିର ଟ ୯୦୦/-

ବ୍ରଜବାସୀ ପଣ୍ଡାଦ୍ୱାରା – ନୀଳକଣ୍ଠେଶ୍ଵର ଶିବାଳୟ ଟ ୯୦୦/-

ମଧୁସୂଦନ ମେହେରଦ୍ୱାରା – ଏହି ମନ୍ଦିରନିକଟ କୂପ ଟ ୨୦୦/-

ତୁଳସୀ କେଉଟୁଣୀଦ୍ଵାରା – ରାମଚନ୍ଦ୍ରଙ୍କର ମନ୍ଦିର ଟ ୮୦୦/-

ଜଗନ୍ନାଥ ପଣ୍ଡାଦ୍ୱାରା ଜଳାଶୟ ଟ ୩,୫୦୦/-

ଘନ ହଟୁଆଦ୍ୱାରା ଜଳାଶୟ ଟ ୩,୦୦୦/-

ରତ୍ନାକର ମେହେରଦ୍ୱାରା ଜଳାଶୟ      ଟ ୩,୦୦୦/-

ହରିହର ସାହୁଦ୍ୱାରା ଜଳାଶୟ ଟ ୩,୦୦୦/-

ଉସ୍ତ ମେହେର ଦତ୍ତ ଅର୍ଥରେ କୃପ ଇତ୍ୟାଦି ଟ ୨୦୦/-

 

ତେରଗୋଟି ପ୍ରାଚୀନ ଜଳାଶୟ ବରପାଲି ବସତିର ଚତୁର୍ଦ୍ଦିଗ ବେଷ୍ଟନ କରିଅଛି । ବର୍ଷା ଶେଷରେ ଗୋଟିଏ ନାଳକୁ ୩-୪ ସ୍ଥାନରେ ବାନ୍ଧି ଶୀତ ଓ ଗ୍ରୀଷ୍ମ କାଳରେ ତହିଁର ଜଳ ବ୍ୟବହାର କରାଯାଇଥାଏ । ନୂତନ ଜଳାଶୟମାନ ବସତିରମଣୀର ବସ୍ତ୍ର ଉପରେ ଅଳଙ୍କାର ସ୍ୱରୂପ ହୋଇଅଛି ।

 

ନୃପରାଜ ସିଂହଙ୍କର ପ୍ରବର୍ତ୍ତନାରେ ହରିହର ସାହୁ (ପ୍ରଚଳିତ ନାମ ଧୁବା ଧମା ଗଡ଼ିଆ) ୨,୫୦୦ ଟଙ୍କାରେ ବର୍ଲାବାହାଲ ଗ୍ରାମର ଗଉନ୍ତି (ଗ୍ରାମାଧିପତ୍ୟ) ନେଇ ଗ୍ରାମର ସର୍ବପ୍ରକାର ଗଉନ୍ତି ଆୟ ଭୋଗରାର ଉତ୍ପନ୍ନ ଧାନ ସହିତ ଦରିଦ୍ରମାନଙ୍କୁ ସଦାବ୍ରତ ଦେବା ନିମନ୍ତେ ଗୋପାଳଜୀ ମହାପ୍ରଭୁଙ୍କ ନାମରେ ଉତ୍ସର୍ଗ କରିଦେଇଅଛନ୍ତି । ନିଜେ ନୃପରାଜ ସିଂହ ଭୋଗରାର ପ୍ରାପ୍ୟ ରାଜସ୍ୱ ଛାଡ଼ିଦେଇ ଗ୍ରାମର ରାଜସ୍ୱ (ବର୍ତ୍ତମାନ ଏକଶତ ଏଗାର ଟଙ୍କା) ଜଗନ୍ନାଥ ମହାପ୍ରଭୁଙ୍କର ପର୍ବଖର୍ଚ୍ଚରେ ନିୟୋଜିତ କରିଅଛନ୍ତି ।

 

ବରପାଲି ବସତିର ଚତୁର୍ଦ୍ଦିଗ ନିବିଡ଼ ଆମ୍ରବନରେ ପୂର୍ଣ୍ଣ ଥିଲା । ଇଲାକା ମଧ୍ୟରେ ବନ ନଥିବାରୁ ଚୁଲିର ଉପଦ୍ରବରେ ଆମ୍ରବନ ବିରଳ ହେଉଥିବାର ଦେଖି ନୃପରାଜ ସିଂହ ଗୋଟିଏ ନୂତନ ଆମ୍ର ଉଦ୍ୟାନ କରିଅଛନ୍ତି । ଏହି ଉଦ୍ୟାନରେ ବର୍ଷକୁ ପ୍ରାୟ ୧୨୦ ଟଙ୍କା ଲେଖାଏଁ ୭-୮ ବର୍ଷ ପର୍ଯ୍ୟନ୍ତ ଖର୍ଚ୍ଚ ହୋଇଅଛି । ୧୮୯୯ ସାଲରେ ଏହି ଉଦ୍ୟାନରେ ‘ହରିଯଜ୍ଞ’ ନାମରେ ଗୋଟିଏ ମେଳା ହୋଇଥିଲା । ତହିଁର ସମାଗତ ଲୋକସଂଖ୍ୟା ପ୍ରାୟ ୬୦ ହଜାର ବୋଲି ଲୋକେ ଅନୁମାନ କରିଥିଲେ । ତହିଁରେ ସର୍ବସାଧାରଣଙ୍କୁ ଏକ ଦିନ ଅନ୍ନଭୋଜନ ଦିଆଯାଇଥିଲା । ଭୋକ୍ତା ମଧ୍ୟରେ ଦରିଦ୍ରସଂଖ୍ୟା ବେଶି ଥିଲା । କିନ୍ତୁ ଅନେକ ମଧ୍ୟବିତ୍ତ ଲୋକ ପବିତ୍ର ଅନ୍ନ-ଜ୍ଞାନରେ ଭୋକ୍ତା ଶ୍ରେଣୀଭୁକ୍ତ ହୋଇଥିଲେ । ଭଦ୍ରଲୋକମାନଙ୍କୁ ସିଧା ଖର୍ଚ୍ଚ ଦିଆଯାଇଥିଲା । ଅନେକ ବସତିରେ ଅତିଥି ହୋଇଥିଲେ । ଅନ୍ନଛତ୍ର ଓ ସିଧା ଖର୍ଚ୍ଚାଦି ପାଇଁ ଚାଉଳ ୫୦୦ ପସ୍ତମା (ପସ୍ତମାକୁ ପ୍ରାୟ ଦୁଇମହଣ), ଗୁଡ଼ ୧୨୩ ମାଠିଆ, ଚୁଡ଼ା ୧୮୭ ପସ୍ତମା, ହୋମଘିଅ ଓ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ନଗଦ ଟ ୧,୦୦୦/- ସଂଗୃହୀତ ହୋଇଥିଲା । ସଂଗୃହୀତ ସମସ୍ତ ପଦାର୍ଥ ଖର୍ଚ୍ଚ ହୋଇଯାଇଥିବାରୁ ଚାଉଳ ସଂଖ୍ୟା ପ୍ରତି ଦୃଷ୍ଟି କଲେ ପାଠକେ ସମାଗତ ଲୋକଙ୍କ ସଂଖ୍ୟା ଅନୁମାନ କରିପାରିବେ ।

 

ଏ ପ୍ରଦେଶର କେବଳ ସମ୍ବଲପୁର ନଗରରେ ଶୀତଳଷଷ୍ଠୀ (ହରପାର୍ବତୀ ବିବାହ) ଯାତ୍ରା ହେଉଥିଲା । ନୃପରାଜ ସିଂହ ନିଜର ପୁତ୍ର ଲାଲ ବୀର ମହେନ୍ଦ୍ର ସିଂହଙ୍କର ଜନ୍ମର ଆନନ୍ଦମୟ ଅବ୍ଦକୁ ଚିରସ୍ମରଣୀୟ କରିବା ନିମନ୍ତେ ୧୮୭୭ ଖ୍ରୀଷ୍ଟାବ୍ଦରୁ ବରପାଲିରେ ଉକ୍ତ ଯାତ୍ରା ସମାରୋହର ସହିତ ସମ୍ପାଦନ କରିଆସୁଅଛନ୍ତି ।

 

ବରପାଲିରେ ୪-୫ ଜଣ ଦେଶୀୟ ଚିକିତ୍ସକ ଅଛନ୍ତି । ତହିଁ ବାହାରେ ନୃପରାଜ ସିଂହ ନିଷ୍କର ଭୂମି ପ୍ରଦାନ କରି ନିଜର ଏବଂ ସାଧାରଣଙ୍କର ସୁବିଧା ନିମନ୍ତେ ଆଉ ଜଣେ ବୈଦ୍ୟ ରଖିଅଛନ୍ତି । ନିଜେ ପ୍ରଧାନ ପ୍ରଧାନ କବିରାଜମାନଙ୍କର ଔଷଧ କଲିକତା, ବମ୍ବେ ପ୍ରଭୃତିରୁ ଅଣାଇ ବିତରଣ କରିବାଦ୍ୱାରା ବର୍ଷକୁ ୨-୩ ଶତ ଟଙ୍କା ଖର୍ଚ୍ଚ କରିଥାନ୍ତି । ବରପାଲିରେ ଗୋଟିଏ ଚିକିତ୍ସାଳୟ ସ୍ଥାପନ କରିବା ସଦିଚ୍ଛା ବହୁକାଳରୁ ପ୍ରକାଶ କରୁଅଛନ୍ତି । କିନ୍ତୁ ତାଙ୍କର ଆୟର ଅପ୍ରଚୁରତା ସେହି ସଦିଚ୍ଛା ଫଳବତୀ ହେବାକୁ ଦେଉନାହିଁ । ସୁତରାଂ ସେ ମନର କ୍ଷୋଭ ମନରେ ଲୀନ କରିବାକୁ ବାଧ୍ୟ ହେଉଅଛନ୍ତି । ବରପାଲିରେ ଗୋଟିଏ ଇଂରାଜୀ ମିଡ଼ଲ୍ ସ୍କୁଲ ସ୍ଥାପନ ନିମନ୍ତେ ସୁଦ୍ଧା ତାହାଙ୍କର ଚେଷ୍ଟା ବାରମ୍ବାର ପ୍ରତିହତ ହୋଇ ସୁଯୋଗ ଓ ଶୁଭସମୟର ଅପେକ୍ଷା କରୁଅଛି । ଅଳ୍ପଦିନ ପୂର୍ବେ ଉଲ୍ଲିଖିତ ସ୍କୁଲ ଓ ଡିସ୍ପେନ୍‌ସାରୀ ସ୍ଥାପନ ନିମନ୍ତେ ସମ୍ବଲପୁରର ଡେପୁଟୀ କମିଶନର ଶ୍ରୀମାନ୍ ଚିଟ୍‌ନବିସ୍‌ ସାହେବଙ୍କଠାରେ ନିଜର ଅଭିପ୍ରାୟ ବ୍ୟକ୍ତ କରିଥିଲେ । ସଦାଶୟ ଚିଟ୍‌ନବିସ୍‌ ସାହେବ ତାହାଙ୍କୁ ଗୋଟିଏ ସୁପନ୍ଥା ଦେଖାଇଥିଲେ । ପରେ ରାୟପୁରର ଶ୍ରୀମାନ୍ କମିଶନର ସାହେବ ନୃପରାଜ ସିଂହଙ୍କର ଉକ୍ତ ଅଭିପ୍ରାୟ ଅବଗତ ହୋଇ କୌଣସି ବିଶେଷ କାରଣରୁ ଅଭିପ୍ରେତ କାର୍ଯ୍ୟ କିଛିଦିନ ସ୍ଥଗିତ ରଖାଯିବା ଉପଦେଶ ପ୍ରଦାନ କରିଅଛନ୍ତି । ତଥାପି ନୃପରାଜ ସିଂହ ଆସନ୍ନ ଭବିଷ୍ୟତରେ ଚିରିପୋଷିତ ସଂକଳ୍ପ ସିଦ୍ଧ କରି କୀର୍ତ୍ତି-ମନ୍ଦିରରେ ପତାକା ଉଡ଼ାଇବେ ବୋଲି ବିଶ୍ଵାସ ହେଉଅଛି ।

 

ନୃପରାଜ ସିଂହ ଉଚ୍ଚଶିକ୍ଷାରେ ଅକୃତକାର୍ଯ୍ୟ ହୋଇଥିଲେହେଁ ଉତ୍କଳ-ସାହିତ୍ୟ ରସିକତାଦ୍ୱାରା ସାହିତ୍ୟ-ରାଜ୍ୟରେ ଆସନ ସ୍ଥାପନ କରିଅଛନ୍ତି ତାହାଙ୍କର କୃତ “ବଳରାମ ଦେବ’’ଓ ‘‘ଆମୋଦ’’ ପୁସ୍ତକଦ୍ୱୟ ତାହାଙ୍କର ଉଭୟ ବାହୁ ଧରି ସେହି ଆସନରେ ତାଙ୍କୁ ଆଦରର ସହିତ ବସାଇଦେବେ । ମଧ୍ୟପ୍ରଦେଶର ଶିକ୍ଷାବିଭାଗର ଇନ୍‌ସ୍ପେକ୍‌ଟର ଜେନେରାଲ ସାହେବଙ୍କର ତା ୬.୧.୧୯୦୦ ଖ୍ରୀ: ଲିଖିତ-ଡି-୫୬ ନମ୍ବର ଚିଠିଦ୍ୱାରା ‘‘ଆମୋଦ’’ ଏ ପ୍ରଦେଶର ବିଦ୍ୟାଳୟମାନଙ୍କର ପୁରସ୍କାର ଓ ଲାଇବ୍ରେରୀ ପୁସ୍ତକ ମନୋନୀତ ହୋଇଅଛି । ସମ୍ବଲପୁର ଡେପୁଟୀ କମିଶନର ସାହେବ ମଧ୍ୟ ତାହା ପାଠ୍ୟପୁସ୍ତକ ମଧ୍ୟରେ ରଖାଯିବା ମନୋନୀତ କରିଥିଲେ-। ଏତଦ୍‌ବ୍ୟତୀତ ‘ଉତ୍କଳ ସାହିତ୍ୟ’ ପତ୍ରରେ ନୃପରାଜ ସିଂହଙ୍କର କେତେକ କବିତା ପ୍ରକାଶିତ ହୋଇଅଛି । ସେ ଲେଖକମାନଙ୍କୁ ମଧ୍ୟ ପୁରସ୍କାରାଦି ଦେଇ ଉତ୍ସାହିତ କରିଥାନ୍ତି । ‘ହିତୈଷିଣୀ’ ସମ୍ପାଦନ ଏବଂ ବିବିଧ ପୁସ୍ତକ ପ୍ରଣୟନ ହେତୁ ଅତ୍ୟନ୍ତ ପ୍ରୀତ ହୋଇ ପଣ୍ଡିତ ନୀଳମଣି ବିଦ୍ୟାରତ୍ନଙ୍କୁ ଏବଂ ସ୍ଥାନୀୟ ଲେଖକଙ୍କର ଉତ୍ସାହ ବୃଦ୍ଧି ନିମନ୍ତେ ଏହି ପୁସ୍ତକର ଲେଖକଙ୍କୁ ନୃପରାଜ ସିଂହ ଯଥେଷ୍ଟ ସାହାଯ୍ୟ କରି ରାଜୋଚିତ ଗ୍ରାହକତାର ପରିଚୟ ପ୍ରଦାନ କରିଅଛନ୍ତି । ‘ଉତ୍କଳ-ଭ୍ରମଣ’ ପ୍ରଣେତା ଉତ୍କଳର କବି ସେନାପତି କହିଅଛନ୍ତି–

 

‘‘ଲାଲ ନୃପରାଜ ସିଂହ ରାଜା ବରପାଲି,

ତୁମ୍ଭର ସୁଖ୍ୟାତି କରୁନାହିଁ ଖାଲି ଖାଲି ।

ପାଣ୍ଡିତ୍ୟକବିତ୍ୱ ଏଣେ ତେଣେ ରାଜଭୋଗ,

ଏହାକୁ ବୋଲନ୍ତି ମଣି-କାଞ୍ଚନର ଯୋଗ ।

ପ୍ରଜାଙ୍କ ଉନ୍ନତିପାଇଁ କରୁଛ ଯତନ,

ଏହା ସିନା ଅଟେ ରାଜଧର୍ମ ସନାତନ ।’’

 

ନୃପରାଜ ସିଂହ ଗୋପନରେ ଅହିନ୍ଦୁର କାର୍ଯ୍ୟ କରି ଲୋକନେତ୍ରକୁ ପରମହିନ୍ଦୁତା ପ୍ରଦର୍ଶନକାରୀ ନୁହନ୍ତି । ବାସ୍ତବରେ ସେ ଜଣେ ନିଷ୍ଠାପର ହିନ୍ଦୁ । ନିଜେ ଆନ୍ତରିକ ଭକ୍ତି ଓ ବିଶ୍ୱାସ ସହିତ ପ୍ରତ୍ୟହ ଶିବପୂଜା କରନ୍ତି । ଆଶ୍ୱିନ ମାସରେ ଯଥାବିଧି ଦେବୀପୂଜା କରନ୍ତି । ବ୍ରାହ୍ମଣମାନଙ୍କଠାରେ ବ୍ରାହ୍ମଣୋଚିତ ସଦ୍‌ଗୁଣ ନ ଦେଖିଲେ ଭର୍ତ୍ସନା ଛଳରେ ଉତ୍ତେଜିତ କରିଥାନ୍ତି । ନିର୍ବିଶେଷ ଭାବରେ କି ବ୍ରାହ୍ମଣ କି ଶୂଦ୍ର ସମସ୍ତଙ୍କର ଗୁଣଗ୍ରହଣ କରିଥାନ୍ତି । ପ୍ରାଚୀନ ଶାସ୍ତ୍ରରେ ତାହାଙ୍କର ବିଶ୍ଵାସ-ସତ୍ତ୍ୱେ ସେ ଫଳ ଦର୍ଶନ ବିନା କାହାରି ଉକ୍ତିରେ ବଞ୍ଚିତ ହେବାର ଲୋକ ନୁହନ୍ତି । ତାହାଙ୍କର ଦେବକାର୍ଯ୍ୟରେ ଯେପରି ପ୍ରୀତି ଓ ଆସକ୍ତି ଅଛି, ଦେବତା ପ୍ରତି ସେପରି ଭକ୍ତି ଓ ବିଶ୍ୱାସ ଅଛି । ସେ ତାଙ୍କ ଇଲାକାରେ ଥିବା ସମସ୍ତ ଦେବତାଙ୍କର ଭୋଗ ନିମନ୍ତେ ନିଷ୍କର ଭୂମି ଖଞ୍ଜି ଦେଇଅଛନ୍ତି ।

 

ନୃପରାଜ ସିଂହ ଗଭର୍ଣ୍ଣମେଣ୍ଟଙ୍କଠାରେ ଭକ୍ତି, ଜ୍ଞାତିମାନଙ୍କଠାରେ ଶ୍ରଦ୍ଧା ଓ ସ୍ନେହ, ବନ୍ଧୁମାନଙ୍କଠାରେ ସୌହାର୍ଦ୍ଦ୍ୟ, ପ୍ରଜାମାନଙ୍କଠାରେ ପୁତ୍ରବାତ୍ସଲ୍ୟ, ସାଧାରଣଙ୍କଠାରେ ସାରଲ୍ୟ ପ୍ରଦର୍ଶନ କରି ମିଷ୍ଟାଳାପ ଦ୍ୱାରା ସମସ୍ତଙ୍କର ପ୍ରୀତି ଆକର୍ଷଣ କରିଥାନ୍ତି । ଯେଉଁ ନୃପରାଜ ସିଂହ ଏକସମୟରେ ବିଶୁଦ୍ଧ ରାଜଆମୋଦରେ ମତ୍ତ ଥିବାର ଦେଖାଯାଇଥାନ୍ତି, ସେହି ନୃପରାଜ ସିଂହ ଅନ୍ୟ ସମୟରେ କୃଷିକ୍ଷେତ୍ରରେ କୃଷିର ତତ୍ତ୍ୱାବଧାନରେ ବ୍ୟସ୍ତ ଥିବାର ଦେଖାଯାନ୍ତି । ଯେଉଁ ନୃପରାଜ ସିଂହ ହସ୍ତୀପୃଷ୍ଠରେ ବସି ୩-୪ ମାଇଲ ପଥ ଭ୍ରମଣ କରିବା ଶାନ୍ତିଜନକ ମନେ କରିଥାନ୍ତି, ପ୍ରୟୋଜନ ପଡ଼ିଲେ ସେହି ନୃପରାଜ ସିଂହ ୧୦-୧୨ ମାଇଲ ପଥ କାର୍ଯ୍ୟବିନୋଦରେ ପଦବ୍ରଜରେ ଚାଲି ଆନନ୍ଦ ଅନୁଭବ କରିଥାନ୍ତି । ସ୍ଥୂଳରେ ନୃପରାଜ ସିଂହ କର୍ମବୀରଶ୍ରେଣୀର ଜଣେ ଉପଯୁକ୍ତ ଲୋକ ଅଟନ୍ତି । ତାହାଙ୍କର ନିରଳସତା ନିରତିଶୟ ପ୍ରଶଂସନୀୟ ।

 

୧୯୧୧ ଖ୍ରୀଷ୍ଟାବ୍ଦରେ ନୃପରାଜ ସିଂହ ଗୋଟିଏ ଆରୋପିତ ଭୟଙ୍କର କଳଙ୍କ-ପଙ୍କରେ ନିକ୍ଷିପ୍ତ ହୋଇଥିଲେ । ତାଙ୍କ ନିମନ୍ତେ ରାଜା, ପ୍ରଜା, ଧନୀ, ଦରିଦ୍ର, ଆବାଳବୃଦ୍ଧବନିତାଙ୍କ ମୁଖରେ ହାହାକାର ଧ୍ୱନି ଉଠିଯାଇଥିଲା । ତାହାଙ୍କର ସେହି ଦୁର୍ବିପାକ ଦର୍ଶନ ଶ୍ରବଣରେ ଲୋକମାନେ ସ୍ତମ୍ଭିତ ହୋଇଯାଇଥିଲେ । କିନ୍ତୁ ନୃପରାଜ ସିଂହ ଅସାଧାରଣ ଧୈର୍ଯ୍ୟ, ସାହସ ଓ ପ୍ରବୀଣତାବଳରେ ସେହି କଳଙ୍କପଙ୍କରୁ ଉତ୍ତୀର୍ଣ୍ଣ ହୋଇ ନିର୍ଦ୍ଦୋଷତା ଜଳରେ ସେହି ସମସ୍ତ ପଙ୍କ ପ୍ରକ୍ଷାଳନ କରିଦେଲେ । ତାହାଙ୍କର ଯଶଃ-କାନ୍ତିପୂର୍ଣ୍ଣ କଳେବରରେ ବିନ୍ଦୁମାତ୍ର କଳଙ୍କ-କାଳିମା ରହିପାରିଲା ନାହିଁ । ଏହି ବହୁବ୍ୟୟସାଧ୍ୟ କାର୍ଯ୍ୟରେ ନୃପରାଜ ସିଂହ ଯେତେ ବ୍ୟୟକଲେ, ତାହା ଅତି ଅଳ୍ପ ବୋଲିବାକୁ ହେବ । ଏହା ତାହାଙ୍କର ଚିରାର୍ଜିତ ଲୋକପ୍ରିୟତାର ଲାଭ ।

 

ନୃପରାଜ ସିଂହ ଜଣେ ଶୁଚିମାନ୍ ପରିଷ୍କୃତ ପରିଚ୍ଛନ୍ନ ଲୋକ ଅଟନ୍ତି । ସେ ରାଜସୁଲଭ ନବ୍ୟ ଦୋଷମାନଙ୍କରେ ଲିପ୍ତ ନୁହନ୍ତି । ରାୟ ରାଧାନାଥ ରାୟ ବାହାଦୁର ପ୍ରସଙ୍ଗକ୍ରମେ କହିଲେ ‘‘ବାମଣ୍ଡା ନରେଶ ସୁଢ଼ଳ ଦେବ ଶିକ୍ଷାରୁ ବଞ୍ଚିତ ହୋଇ ବଞ୍ଚାଇଥିଲେ । ନୃପରାଜ ସିଂହଙ୍କ ପ୍ରତି ମଧ୍ୟ ଆମ୍ଭେ ସେହି ଉକ୍ତି ପ୍ରୟୋଗ କରୁଅଛୁ ।’’ପ୍ରଶଂସିତ ମହାରାଜ ସୁଢ଼ଳ ଦେବ ନୃପରାଜ ସିଂହଙ୍କ ପ୍ରତି ଅତ୍ୟନ୍ତ ଅନୁରକ୍ତ ଥିଲେ । ସେ ରାଜସମାଜରେ ତହିଁର ଭୂରିଭୂରି ନିଦର୍ଶନ ପ୍ରଦର୍ଶନ କରିଯାଇଅଛନ୍ତି । ନବୀନ ନରପତି ଶ୍ରୀମାନ୍ ସଚ୍ଚିଦାନନ୍ଦ ତ୍ରିଭୁବନ ଦେବ ମଧ୍ୟ ପିତାଙ୍କର ସର୍ବ ଗୁଣରେ ଉତ୍ତରାଧିକାର ଗ୍ରହଣ ସଙ୍ଗେ ସଙ୍ଗେ ନୃପରାଜ ସିଂହଙ୍କ ପ୍ରତି ଅନୁରାଗ ରଖିବା ଗୁଣକୁ ଦୃଢ଼ତର ଭାବରେ ଗ୍ରହଣ କରିଅଛନ୍ତି । ତହିଁର ପ୍ରମାଣମାନ ଲକ୍ଷିତ ହୋଇଆସୁଅଛି । ସଜ୍ଜନର ଅନୁରାଗାକର୍ଷଣ ସୁଜନତା ଲକ୍ଷଣ ବୋଲି ଏଠାରେ ଏ କଥାର ଉଲ୍ଲେଖ ହେଲା ।

 

ନୃପରାଜ ସିଂହଙ୍କର ସତ୍‌କାର୍ଯ୍ୟର ପ୍ରଶଂସା ସମ୍ବାଦପତ୍ରରେ ମଧ୍ୟ ଅସୁଲଭ ନୁହେଁ । ପଣ୍ଡିତ ନୀଳମଣି ବିଦ୍ୟାରତ୍ନ ‘ସମ୍ବଲପୁର ହିତୈଷଣୀ’ର ସମ୍ପାଦକ ଥିବା ସମୟରେ ସତ୍‌କାର୍ଯ୍ୟସବୁର ଉଲ୍ଲେଖକରି ସେ ଗଭର୍ଣ୍ଣମେଣ୍ଟରୁ ରାଜାବାହାଦୁର ଉପାଧି ପାଇବାର ଯୋଗ୍ୟ ବୋଲି ମନ୍ତବ୍ୟ ପ୍ରକାଶ କରି ରାଜପୁରୁଷମାନଙ୍କର ମନୋଯୋଗ ଆକର୍ଷଣ କରିଥିଲେ । ତହିଁର ଫଳସ୍ଵରୂପ କିଛିଦିନ ପରେ ନୃପରାଜ ସିଂହ ‘ରାୟବାହାଦୁର' ଉପାଧି ଲାଭ କରିଅଛନ୍ତି । ଏହା ତାହାଙ୍କର ସଦନୁଷ୍ଠାନ ଓ ଗଭୀର ରାଜଭକ୍ତିର ସୁନ୍ଦର ନିଦର୍ଶନ । ଉପାଧିଦାନ ଦରବାରରେ କମିଶନର ସାହେବଙ୍କ ନିକଟରେ ଡେପୁଟୀ କମିଶନର ମିଃ ରଜର୍ସ ସାହେବ ତା ୨୦।୫।୧୯୦୧ ଖ୍ରୀଷ୍ଟାବ୍ଦରେ ସର୍ବସମକ୍ଷରେ ନୃପରାଜ ସିଂହଙ୍କ ସମ୍ବନ୍ଧରେ ଯାହା କହିଥିଲେ, ତାହା ନିମ୍ନରେ ଲିଖିତ ହେଉଅଛି । ତଦ୍ଦ୍ୱାରା ଏହି ପୁସ୍ତକଲେଖକର ବାକ୍ୟଗୁଡ଼ିକ ବହୁପରିମାଣରେ ସମର୍ଥିତ ହୋଇପାରିବ, ସନ୍ଦେହ ନାହିଁ ।

***

 

ସମ୍ବଲପୁର ଡେପୁଟୀ କମିଶନର ମିଃ ରଜର୍ସ ସାହେବଙ୍କର ବକ୍ତୃତା

 

To

The Commissioner,

 

Sir,

It is my privilege to introduce to you Rai Bahadur Lal Nripraj Sing Deo, in order that you may, as the representative of His Excellency, the Governor-General, and of His Majesty, the King of England and Emperor of India, confer on him the Sanad of Rai Bahadur, which title was given to him under the signature of Lord Curzon on January 1st, 1900.

 

Lal Nripraj Sing Deo succeeded to the Zamindary in 1869. Since then he has devoted all his time and energy to the improvement of his estate, the welfare of his rayats and the assistance of the Government. He has erected three schools, one for boys, one for girls and branch school and has almost every year received the thanks of the Inspector-General of Education, and of the Honourable the Chief Commissioner for his interest in the cause of education.

 

He supported many starving wanderer who came into his Illaka in the famine of 1897 and received th thanks of the supreme Government for this in 1898. In the famine of last year and during the census he also rendered material assistance.

 

Since 1875, the Zamindar has been Honorary Magistrate and has received respected praise for the efficient manner in which he discharged his duties. It is with pleasure, I notice that his son is following in the footsteps of his father.

 

Lai Nripraj Sing Deo is descended from Bikram Sing, son of the 4th Raja of Sambalpur. His family has always been distinguished for its loyalty to Government, and in 1858, the grandfather of the present Zamindar received the thanks of the Governor-General for his services. The Zamindar's latest exhibition of loyalty consists in the promise of a subscription of Rs. 1000 to the memorial of her late gracious Majesty the Queen Victoria.

 

Bearing in mind all these good services of Lal Nripraj Sing Deo and his family, it is with much pleasure that I call him before you, Sir, to be invested with the Sanad of Rai Bahadur.

 

ଅନୁବାଦ :

ଅଦ୍ୟ ରାୟ ବାହାଦୁର ଲାଲ ନୃପରାଜ ସିଂହ ଦେବଙ୍କୁ ଏ ଉଦ୍ଦେଶ୍ୟରେ ଆପଣଙ୍କ ନିକଟରେ ପରିଚିତ କରାଇଦେଉଅଛି କି ଆପଣ ତାଙ୍କୁ ମହାମାନ୍ୟ ଗଭର୍ଣ୍ଣର-ଜେନେରାଲ ସାହେବ ବାହାଦୁରଙ୍କର ଓ ଇଂଲାଣ୍ଡର ରାଜା ଓ ଭାରତସମ୍ରାଟ୍‌ଙ୍କର ପ୍ରତିନିଧ ସ୍ୱରୂପରେ ରାୟ ବାହାଦୁର ସନନ୍ଦ ଦେବେ, ଯେଉଁ ଉପାଧି ଲର୍ଡ଼ କର୍ଜନ ସାହେବଙ୍କଦ୍ୱାରା ତା ୧। ୧। ୧୯୦୦ ଖ୍ରୀଷ୍ଟାବ୍ଦରେ ସ୍ୱାକ୍ଷରିତ ହୋଇଅଛି ।

 

ନୃପରାଜ ସିଂହ ୧୮୬୯ ଖ୍ରୀଷ୍ଟାବ୍ଦରେ ଜମିଦାର ପଦରେ ଅଧିଷ୍ଠିତ ହେଲେ । ସେ ସେହିଦିନରୁ ଆପଣାର ସମସ୍ତ ସମୟ ଓ ଉତ୍ସାହ ଗଭର୍ଣ୍ଣମେଣ୍ଟଙ୍କର ସାହାଯ୍ୟରେ ଓ ଆପଣାର ପ୍ରଜାମାନଙ୍କର ହିତରେ ଏବଂ ଜମିଦାରୀର ଉନ୍ନତିରେ ବ୍ୟୟ କରିଅଛନ୍ତି । ସେ ୩ ଗୋଟି ସ୍କୁଲ ଆପଣାର ଖର୍ଚ୍ଚରେ କରି ଦେଇଅଛନ୍ତି । ଗୋଟିଏ ବାଳକମାନଙ୍କ ନିମନ୍ତେ, ଗୋଟିଏ ବାଳିକାମାନଙ୍କ ନିମନ୍ତେ ଓ ଗୋଟିଏ ବ୍ରାଞ୍ଚ ସ୍କୁଲ । ଏତଦ୍‌ଭିନ୍ନ ପ୍ରତିବର୍ଷ ଶିକ୍ଷା ବିଷୟରେ ମନୋଯୋଗ ଦେଉଥିବାରୁ ମହିମବର ଚିଫ୍ କମିଶନର ସାହେବ ବାହାଦୁରଙ୍କର ଏବଂ ଶିକ୍ଷାବିଭାଗର ଇନ୍‌ସପେକ୍ଟର ଜେନେରାଲ ସାହେବଙ୍କର ଧନ୍ୟବାଦଭାଜନ ହୋଇ ପ୍ରଶଂସାପତ୍ର ପାଇଅଛନ୍ତି । ୧୮୯୭ ସାଲର ସେ ଦୁର୍ଭିକ୍ଷରେ ତାଙ୍କ ଇଲାକାରେ ସମବେତ ହୋଇଥିବା ଅନ୍ୟସ୍ଥାନର କାଙ୍ଗାଳିମାନଙ୍କର ପ୍ରାଣରକ୍ଷାକଲେ । ଏ ବିଷୟରେ ତାଙ୍କୁ ୧୮୯୮ ସାଲରେ ଭାରତ ଗଭର୍ଣ୍ଣମେଣ୍ଟଙ୍କଠାରୁ ଧନ୍ୟବାଦପତ୍ର ମିଳିଅଛି । ଗତବର୍ଷ ଦୁର୍ଭିକ୍ଷରେ ଏବଂ ଲୋକସଂଖ୍ୟା ଗଣନା ସମୟରେ ମଧ୍ୟ ସରକାରଙ୍କୁ ସେହିପରି ସାହାଯ୍ୟ ଦେଇଅଛନ୍ତି ।

 

ଜମିଦାର ସନ ୧୮୭୫ ସାଲରୁ ଅନରାରୀ ମାଜିଷ୍ଟ୍ରେଟ କାର୍ଯ୍ୟ ଚଳାଇଆସୁଅଛନ୍ତି ଏବଂ ଏହି କାର୍ଯ୍ୟ ଉତ୍ତମରୂପେ କରିବା ବିଷୟରେ ବାରମ୍ବାର ପ୍ରଶଂସା ପ୍ରାପ୍ତ ହେଉଅଛନ୍ତି । ଆନନ୍ଦର ବିଷୟ ଯେ ତାଙ୍କର ପୁତ୍ର ମଧ୍ୟ ପିତାଙ୍କର ଉତ୍ତମ ଆଦର୍ଶର ଅନୁକରଣ କରୁଅଛନ୍ତି ।

 

ଲାଲ ନୃପରାଜ ସିଂହଦେବ ସମ୍ବଲପୁର ଚତୁର୍ଥ ରାଜାଙ୍କ ପୁତ୍ର ବିକ୍ରମ ସିଂହଙ୍କର ବଂଶଧର ଅଟନ୍ତି । ତାଙ୍କ ବଂଶର ରାଜଭକ୍ତିର ବିଷୟ ସର୍ବଦା ପ୍ରସିଦ୍ଧ ଅଛି । ୧୮୫୮ ସାଲିରେ ବର୍ତ୍ତମାନ ଜମିଦାରଙ୍କର ପିତାମହ ରାଜଭକ୍ତି ବିଷୟରେ ଗଭର୍ଣ୍ଣମେଣ୍ଟଙ୍କଠାରୁ ଧନ୍ୟବାଦ ପାଇଅଛନ୍ତି ।

 

ଜମିଦାରଙ୍କର ରାଜଭକ୍ତିର ଆହୁରି ଗୋଟିଏ ନିଦର୍ଶନ ଏହି ଯେ ସେ ମହାମାନ୍ୟ ସ୍ୱର୍ଗବାସିନୀ ଭାରତେଶ୍ୱରୀଙ୍କର ସ୍ମୃତିରକ୍ଷା ନିମନ୍ତେ ୧୦୦୦ ଟଙ୍କା ଦେବାକୁ ପ୍ରତିଶ୍ରୁତି ହୋଇଅଛନ୍ତି ।

 

ଲାଲ ନୃପରାଜ ସିଂହଙ୍କର ଓ ତାଙ୍କ ବଂଶର ଏହିସବୁ ଗୁଣ ସ୍ମରଣ କରି ମୁଁ ଅତ୍ୟନ୍ତ ଆନନ୍ଦର ସହିତ ତାଙ୍କୁ ଆପଣଙ୍କ ସମ୍ମୁଖରେ ଆହ୍ୱାନ କରୁଅଛି ।

***